ବାରିପଦା ସହରରେ ୩ଟି ପାନୀୟଜଳ କିଓସ୍କ ଉଦ୍‌ଘାଟିତ :ବିଶୁଦ୍ଧ ପାନୀୟଜଳ ଯୋଗାଣକୁ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ୱ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

Sep 2, 2026 - 19:52
 0  2
ବାରିପଦା ସହରରେ ୩ଟି ପାନୀୟଜଳ କିଓସ୍କ ଉଦ୍‌ଘାଟିତ :ବିଶୁଦ୍ଧ ପାନୀୟଜଳ ଯୋଗାଣକୁ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ୱ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ବାରିପଦା, (୦୨/୦୯): ବାରିପଦା ସହରବାସୀ ତଥା ଯାତାୟାତ କରୁଥିବା ଲୋକଙ୍କୁ ସହଜରେ ବିଶୁଦ୍ଧ ଓ ଗୁଣାତ୍ମକ ପାନୀୟଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ସହରର ତିନୋଟି ପ୍ରମୁଖ ସ୍ଥାନରେ ପାନୀୟଜଳ କିଓସ୍କ ଉଦ୍‌ଘାଟିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କିଓସ୍କଗୁଡ଼ିକୁ ଲୋକାର୍ପଣ କରିବା ସହ ନିଜେ ପାଣି ପିଇ ଏହାର ଶୁଭାରମ୍ଭ କରିଥିଲେ । ଏହି ପାନୀୟଜଳ କିଓସ୍କଗୁଡ଼ିକ ବସ୍‌ଷ୍ଟାଣ୍ଡ ନିକଟ, ମା’ ଅମ୍ବିକା ପମ୍ପ ହାଉସ୍ ପରିସର ଏବଂ ଝୁବୁଲୀ ବନ୍ଦ ନିକଟରେ ସ୍ଥାପିତ ହୋଇଛି । ଏହା ଦ୍ୱାରା ଯାତ୍ରୀ, ପଥଚାରୀ ଓ ସ୍ଥାନୀୟ ବାସିନ୍ଦାମାନେ ସୁବିଧାରେ ବିଶୁଦ୍ଧ ପାନୀୟଜଳ ପାଇପାରିବେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ ଯେ, ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ବିଶେଷକରି ଗ୍ରୀଷ୍ମ ଋତୁରେ ଲୋକଙ୍କ ଜଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥାନଗୁଡ଼ିକରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । ଏହି ଅବସରରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା ପାଇଁ ମନ୍ତ୍ରୀ ମା’ ଅମ୍ବିକା ପମ୍ପ ହାଉସ୍ ପରିଦର୍ଶନ କରିଥିଲେ । ସେଠାରେ ଜଳର ଗୁଣବତ୍ତା ପରୀକ୍ଷା ଓ ଲେବୋରେଟୋରୀ ଟେଷ୍ଟିଂ ସମ୍ପର୍କରେ ସେ ତଦାରଖ କରିଥିଲେ । ବାରିପଦା ସହରର କେତେକ ଅଞ୍ଚଳରେ ୨୪×୭ ଜଳ ଯୋଗାଣ ବ୍ୟବସ୍ଥା ଚାଲୁ ରହିଥିବା ବେଳେ ଯେଉଁ ଅଞ୍ଚଳଗୁଡ଼ିକରେ ଏପର୍ଯ୍ୟନ୍ତ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ ହୋଇନାହିଁ, ସେସବୁ ଅଞ୍ଚଳରେ ଶୀଘ୍ର ୨୪x୭ ବିଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୱାଟକୋର ଜେନେରାଲ ମ୍ୟାନେଜରଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆଗାମୀ ଦିନରେ ସହରର ଆବଶ୍ୟକତାକୁ ଆକଳନ କରି ଜଳ ସଂରକ୍ଷଣ କ୍ଷମତା ଆହୁରି ବୃଦ୍ଧି କରାଯିବା ସହ ଗୁଣାତ୍ମକ ଜଳ ଯୋଗାଣ, ନିରବଚ୍ଛିନ୍ନ ସେବା ଓ ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଭିନ୍ନ ଅତିଥି, ବାରିପଦା ପୌରପାଳିକାର ଅଧିକାରୀ, ୱାଟକୋର ଜେନେରାଲ ମ୍ୟାନେଜର ଶ୍ରୀ ଗୁଲଶନ କୁମାର ସାହୁ, ମ୍ୟାନେଜର ମ୍ୟାନେଜର ଶ୍ରୀ ବିପିନ ବିହାରୀ ଦାସଙ୍କ ସମେତ ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ବି.କେ. ସାହୁ, ଶ୍ରୀ ସୁପ୍ରିତ ଦାସ ଓ ଶ୍ରୀ ପ୍ରଭାକର ସିଂହ, ଜଳସାଥୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ