ଝାରସୁଗୁଡ଼ା ପୌରପାଳିକାରେ 'ଭୀମ ଭୋଇ ସାମର୍ଥ୍ୟ ଶିବିର'; ୧୪ ଜଣ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ବଣ୍ଟନ
*ଝାରସୁଗୁଡ଼ା, ୨୮/୦୯ (ଫାଷ୍ଟ ନ୍ୟୁଜ ଓଡ଼ିଶା):* ଝାରସୁଗୁଡ଼ା ପୌରପାଳିକା ଆନୁକୂଲ୍ୟରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ଓ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ 'ଭୀମ ଭୋଇ ସାମର୍ଥ୍ୟ ଶିବିର' ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୫୮ ଜଣ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ୬୫ ଜଣ ଭିନ୍ନକ୍ଷମ ବ୍ୟକ୍ତି ନିଜ ନାମ ପଞ୍ଜୀକରଣ କରିଥିଲେ। କାର୍ଯ୍ୟକ୍ରମରେ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ରାନୀ ହାତୀ, ଉପାଧ୍ୟକ୍ଷ ବେଣୁ ଗୋପାଳ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାଏକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହି ଶିବିରରେ ସହାୟକ ଉପକରଣ ନିମନ୍ତେ ମୋଟ ୫୫ଟି ଆବେଦନ ପତ୍ର ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୪ଟି ଉପକରଣ ତୁରନ୍ତ ବଣ୍ଟନ କରାଯାଇଛି। ବଣ୍ଟନ କରାଯାଇଥିବା ସାମଗ୍ରୀ ମଧ୍ୟରେ ୨ଟି ମାନୁଆଲ ଟ୍ରାଇସାଇକେଲ, ୪ଟି ହୁଇଲଚେୟାର ଏବଂ ୮ଟି ଶ୍ରବଣ ଯନ୍ତ୍ର (ହିୟରିଂ ଏଡ୍) ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ୬ଟି ମୋଟୋରାଇଜ୍ଡ ଟ୍ରାଇସାଇକେଲ, ୧୨ଟି ମୋଟୋରାଇଜ୍ଡ ହୁଇଲଚେୟାର, ଗୋଟିଏ ଲେଖାଏଁ ନି-ବ୍ରେସ୍ ଓ ଇଲେକ୍ଟ୍ରିକ୍ ସ୍କୁଟି, ୩ଟି ହ୍ୱାକିଙ୍ଗ ଷ୍ଟିକ୍, ୩ଟି କୃତ୍ରିମ ଅଙ୍ଗ (ପ୍ରୋସ୍ଥେସିସ୍) ଏବଂ ୪ଟି ବ୍ରେଲି/ଲୋ-ଭିଜନ ଉପକରଣ ପାଇଁ ଆବେଦନ ସଂଗ୍ରହ କରାଯାଇଛି। ସେହିପରି ଅନ୍ୟାନ୍ୟ ସରକାରୀ ଯୋଜନାରେ ମଧ୍ୟ ହିତାଧିକାରୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଇଛି। ଏଥିରେ ବାଣୀଶ୍ରୀ ଯୋଜନା ପାଇଁ ୪ଟି, ମଧୁବାବୁ ପେନସନ ଯୋଜନା ପାଇଁ ୨ଟି ଏବଂ ୟୁଡିଆଇଡି ପଞ୍ଜୀକରଣ ପାଇଁ ୩ଟି ଆବେଦନ ପତ୍ର ସଂଗୃହୀତ ହୋଇଛି। ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଆଦିତ୍ୟ କୁମାର ବାଦୀ କାର୍ଯ୍ୟକ୍ରମର ସୁପରିଚାଳନା ତଥା ସମନ୍ୱୟ ରକ୍ଷା କରିବାରେ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିର ଜରିଆରେ ପୌରାଞ୍ଚଳର ବହୁ ଭିନ୍ନକ୍ଷମ ଉପକୃତ ହୋଇପାରିଛନ୍ତି।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0