୧୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ ମୟୂରଭଞ୍ଜରେ EDର ମାରାଥନ୍ ଚଢ଼ାଉ,ସାନବିଶୋଳରେ ଟ୍ରେଡିଂ କମ୍ପାନୀ ସହ ଜଡ଼ିତ ବ୍ୟକ୍ତିଙ୍କ ଘରେ ଖୋଳତାଡ଼
ବାରିପଦା କୋଟି କୋଟି ଟଙ୍କାର କଥିତ ଆର୍ଥିକ ଠକେଇ ମାମଲାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ର ଚଢ଼ାଉକୁ ନେଇ ଚର୍ଚ୍ଚା ଜୋର ଧରିଛି। କଳ୍ପନା ଫାଇନାନ୍ସିଆଲ୍ ସର୍ଭିସେସ୍ ସହ ଜଡ଼ିତ ୧୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କଥିତ ଠକେଇ ମାମଲାରେ ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରାୟ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସାନବିଶୋଳ ଗ୍ରାମରେ ଈଶ୍ୱର ବିନ୍ଧାଣୀଙ୍କ ବାସଭବନରେ ଇଡି ଟିମ୍ ଚଢ଼ାଉ କରି ଆର୍ଥିକ କାରବାର ସମ୍ପର୍କିତ ବିଭିନ୍ନ ତଥ୍ୟ ଯାଞ୍ଚ କରିଛି। ସୂଚନା ଅନୁଯାୟୀ, ଅଧିକ ସୁଧ ଓ ମୋଟା ଅଙ୍କର ଲାଭ ଦେବାର ପ୍ରଲୋଭନ ଦେଖାଇ ଓଡ଼ିଶା ଓ ପଶ୍ଚିମବଙ୍ଗର ହଜାର ହଜାର ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରି ଆର୍ଥିକ ଅନିୟମିତତା କରାଯାଇଥିବା ଅଭିଯୋଗ ରହିଛି। ଏହି ମାମଲାର ତଦନ୍ତ ପାଇଁ ଇଡିର ତିନି ଜଣିଆ ଟିମ୍, ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଏବଂ ପୋଲିସର ସହଯୋଗରେ ସାନବିଶୋଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବ୍ୟାଙ୍କ ପାସବୁକ୍, ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ୍ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। କେବଳ ମୟୂରଭଞ୍ଜ ନୁହେଁ, ଓଡ଼ିଶାର କଟକ, ଭୁବନେଶ୍ୱର ଓ ଅନୁଗୁଳ ସମେତ ପଶ୍ଚିମବଙ୍ଗର ବାଙ୍କୁରା ଓ କୋଲକାତାର ବିଭିନ୍ନ ସ୍ଥାନରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଉଥିବା ସୂଚନା ରହିଛି। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ୨୦୨୬ ଜାନୁଆରୀ ୩ ତାରିଖରେ ପଶ୍ଚିମବଙ୍ଗରୁ କମ୍ପାନୀର ମୁଖ୍ୟ ଅମିତ ମଣ୍ଡଳଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ଗିରଫ କରିଥିବା ସୂଚନା ମିଳିଥିଲା। ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ ଇଡି ହାତକୁ ଯାଇଥିଲା। ତେବେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ହଜାର ହଜାର ଲୋକଙ୍କଠାରୁ ସଂଗୃହୀତ କୋଟି କୋଟି ଟଙ୍କା କେଉଁଠାକୁ ଗଲା? ଏତେ ବଡ଼ ଆର୍ଥିକ କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି? ନିବେଶକମାନଙ୍କ କଷ୍ଟାର୍ଜିତ ଟଙ୍କା ଫେରସ୍ତ ପାଇଁ କି ପଦକ୍ଷେପ ନିଆଯିବ? ଏହା ସହିତ ଏଭଳି ଆର୍ଥିକ ସଂସ୍ଥାର କାର୍ଯ୍ୟକଳାପ ଉପରେ ସମୟୋଚିତ ନଜର ରଖିବାରେ ନିୟନ୍ତ୍ରଣକାରୀ ବ୍ୟବସ୍ଥାର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ସାଧାରଣ ଲୋକଙ୍କ ଆର୍ଥିକ ସୁରକ୍ଷା ଓ ବିଶ୍ୱାସ ସହ ଜଡ଼ିତ ଏହି ମାମଲାରେ କେବଳ ଚଢ଼ାଉ ଓ ଗିରଫଦାରୀ ନୁହେଁ, ବରଂ ଠକେଇର ପ୍ରକୃତ ଚେର ଖୋଜିବା ସହ ନିବେଶକଙ୍କ ଟଙ୍କା ଫେରସ୍ତ ଦିଗରେ ଠୋସ୍ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଏବେ ଇଡିର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଗାମୀ ଦିନରେ ଏହି ମାମଲାରୁ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଦେଖିବାକୁ ବାକି ରହିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0