ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ:ବାରିପଦାରେ ଜିଲ୍ଲାସ୍ତରୀୟ କଂଗ୍ରେସ ସମ୍ମିଳନୀ ଅନୁଷ୍ଠିତ
ବାରିପଦା, ଅକ୍ଟୋବର ୨୬: ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ସ୍ଲୋଗାନକୁ ନେଇ ବାରିପଦାଠାରେ ଏକ ଜିଲ୍ଲାସ୍ତରୀୟ କଂଗ୍ରେସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶହ ଶହ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ଯୋଗଦେଇଥିଲେ। କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କ କଥିତ ଦୁର୍ନୀତି ଏବଂ ଅନିୟମିତତା ବିରୋଧରେ ସେମାନେ ସ୍ୱର ଉତ୍ତୋଳନ କରିଥିଲେ। କଂଗ୍ରେସ କର୍ମୀମାନେ ଅଭିଯୋଗ କରିଥିଲେ ଯେ, ବିଜେପିର ଡବଲ ଇଞ୍ଜିନ ସରକାର ନିର୍ବାଚନୀ ଅନିୟମିତତା, ଭୋଟ ଚୋରି ଭଳି କାର୍ଯ୍ୟରେ ଲିପ୍ତ ରହିବା ସହ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି। ଏଥିସହ ସ୍ୱାସ୍ଥ୍ୟସେବା, ଶିକ୍ଷା, ପରିବହନ, ମହିଳାଙ୍କ ସୁରକ୍ଷା ଓ ନିଯୁକ୍ତି ଭଳି ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ କଂଗ୍ରେସର ଏଆଇସିସି ପର୍ଯ୍ୟବେକ୍ଷକ ରୋହିତାଶ ବାସୋୟା, ପିସିସି ସାଧାରଣ ସମ୍ପାଦକ ମାନସ ଆଚାର୍ଯ୍ୟ, ଦେବାଶିଷ ବାବୁ, ମୟୂରଭଞ୍ଜ ପିସିସି ପର୍ଯ୍ୟବେକ୍ଷକ ମନୋଜ ରାଉତ, ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ନାରାୟଣ ପଟ୍ଟନାୟକ, କୋଷାଧ୍ୟକ୍ଷ ଉତ୍ତମ ବେହେରା, ପୂର୍ବତନ ଜିଲ୍ଲା ସଭାପତି ନୀରୋଜ ଦାସ, ଅରବିନ୍ଦ ଦାସ, ଯୋଗେଶ ଅଗ୍ରୱାଲ, ପିସିସି ସାଧାରଣ ସମ୍ପାଦକ ସୁଭାଷ୍ରୀ ବେହେରା, ସୁସ୍ମିତା ଘୋଷାଲଙ୍କ ସମେତ ବହୁ ସକ୍ରିୟ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ନାରାୟଣ ପଟ୍ଟନାୟକ ସମ୍ମିଳନୀରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0