ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ; ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ

Oct 31, 2026 - 13:27
 0  2
ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ; ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ

*ମାଲକାନଗିରି,୩୧/୧୦/୨୬:* ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ଶାଖା, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଜିଲ୍ଲାପାଳ ପୂର୍ବାହ୍ନରେ ପତାକା ଦେଖାଇ ଏକ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍, ବନଖଣ୍ଡ ଅଧିକାରୀ ସାଇ କିରଣ ଡି ଏନ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ରହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ସାଧାରଣ ଜନତା ଦୁର୍ନୀତିମୁକ୍ତ ସମାଜ ଗଠନ ଏବଂ ଦୁର୍ନୀତି ନିବାରଣ ପାଇଁ ସାମୂହିକ ଶପଥ ପାଠ କରିଥିଲେ। ସଭାରେ ନିଜର ବାର୍ତ୍ତା ରଖି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ ଯେ ଦୁର୍ନୀତି କେବଳ ଆଇନର ବିଷୟ ନୁହେଁ, ଏହା ଆମର ନୈତିକତା ସହ ଜଡ଼ିତ ଏବଂ ଏକ ସ୍ୱଚ୍ଛ ପ୍ରଶାସନ ପାଇଁ ସମସ୍ତେ ଏକଜୁଟ ହୋଇ ଦୁର୍ନୀତିକୁ ବିରୋଧ କରିବା ଉଚିତ। ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରକାଶ କରିଥିଲେ ଯେ ବିକାଶ ଓ ଜନକଲ୍ୟାଣ ଯୋଜନାର ପ୍ରକୃତ ଲାଭ ଶେଷ ନାଗରିକ ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେଲେ ଦୁର୍ନୀତିକୁ ସମ୍ପୂର୍ଣ୍ଣ ଦୂର କରିବା ଆବଶ୍ୟକ। ଅନ୍ୟପଟେ ଉପ-ଜିଲ୍ଲାପାଳ ନିଜ ବାର୍ତ୍ତାରେ କହିଥିଲେ ଯେ ଯୁବସମାଜ ଓ ଛାତ୍ରଛାତ୍ରୀମାନେ ଦୁର୍ନୀତିବିରୋଧୀ ଅଭିଯାନର ମୁଖ୍ୟ ବାହକ ଏବଂ ସମସ୍ତ ସ୍ତରରେ ସ୍ୱଚ୍ଛତା ଓ ସାଧୁତାକୁ ଆପଣାଇଲେ ହିଁ ଏକ ଦୁର୍ନୀତିମୁକ୍ତ ସମାଜ ଗଠନ ହୋଇପାରିବ। ସଭା ଶେଷରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା’ମାନେ, ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଜିଲ୍ଲା ପରିଷଦ ଅର୍ଥ ପରିଚାଳକ ମାନସ ମିଶ୍ର, ବାଲାଜୀ ପଟ୍ଟନାୟକ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ରଞ୍ଜନ ମହାନ୍ତି ମୁଖ୍ୟ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ