ବାରିପଦା କୋର୍ଟ ପରିସରରେ ଭୁଶୁଡ଼ିଲା ପୁରୁଣା ପାଚେରି:ଅଳ୍ପକେ ବର୍ତ୍ତିଲେ ଲୋକେ, କାର ସହ ୧୦ରୁ ଊର୍ଦ୍ଧ୍ୱ ବାଇକ କ୍ଷତିଗ୍ରସ୍ତ
ବାରିପଦା ତା 29/10 ବାତ୍ୟା ଅର୍ଣ୍ଣବ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି. ଏହି ବର୍ଷା ମଧ୍ୟରେ ବାରିପଦା କୋର୍ଟ ପରିସରରେ ଥିବା ଏକ ପୁରୁଣା ପାଚେରୀ ଭୁଶୁଡ଼ି ପଡ଼ିଥିବାର ଦେଖାଯାଇଛି. ଭାଙ୍ଗିପଡ଼ିଥିବା ପାଚେରିର ଇଟା ତଳେ ଚାପି ହୋଇ କ୍ଷତିଗ୍ରସ୍ତ ହୋଇଛି ଜଣେ ଆଇନଜୀବୀଙ୍କ କାର ସମେତ ୧୦ରୁ ଊର୍ଦ୍ଧ୍ୱ ବାଇକ। ତେବେ ସୌଭାଗ୍ୟ ବଶତଃ ଏହି ଅଘଟଣରେ କାହାରି ଜୀବନ ଯାଇନାହିଁ କିମ୍ବା କେହି ଆହତ ହୋଇନାହାନ୍ତି। ସୂଚନା ଅନୁଯାୟୀ, କୋର୍ଟ ପରିସରରେ ଆଇନଜୀବୀ ମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ହଠାତ ଶୁଣିବାକୁ ମିଳିଥିଲା ଏକ ବଡ଼ ଶବ୍ଦ। ପ୍ରଥମେ କୌଣସି ପୁରୁଣା କୋଠା ଭାଙ୍ଗିପଡ଼ିଥିବା ଆଶଙ୍କା କରିଥିଲେ ଉପସ୍ଥିତ ଲୋକେ। ମାତ୍ର ବାହାରକୁ ଆସି ଦେଖିବା ବେଳକୁ ଭୁଶୁଡ଼ି ପଡ଼ିଥିଲା କୋର୍ଟର ପୁରୁଣା ପାଚେରି। ପାଚେରି ନିକଟରେ ପାର୍କିଂ ହୋଇଥିବା ଏକ କାର ଉପରେ ପଡ଼ିବାରୁ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିଲା। ଏଥିସହ ପାଚେରି ନିକଟରେ ରଖାଯାଇଥିବା ଏକାଧିକ ବାଇକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ, ଏହି ଘଟଣା ପରେ କୋର୍ଟ ପରିସରରେ ଥିବା ପାର୍କିଂ ବ୍ୟବସ୍ଥା ଓ ପୁରୁଣା ପାଚେରିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ସ୍ଥାନୀୟ ବରିଷ୍ଠ ଆଇନଜୀବୀଙ୍କ ସୂଚନା ଅନୁଯାୟୀ, ପାଚେରି ନିକଟରେ ପ୍ରତିଦିନ ବିଭିନ୍ନ କୋର୍ଟ ଓ କାର୍ଯ୍ୟାଳୟକୁ ଆସୁଥିବା ଅଧିକାରୀ, ଆଇନଜୀବୀ ଏବଂ ସାଧାରଣ ଲୋକେ ନିଜ ଗାଡ଼ି ପାର୍କିଂ କରିଥାନ୍ତି। ଏହି ସ୍ଥାନରେ ଦୈନିକ ପ୍ରାୟ 40ରୁ 50ଟି ବାଇକ ଏବଂ ୮ରୁ ୯ଟି କାର ପ୍ରତିଦିନ ରହିଥାଏ. ତେବେ ପାଚେରୀ ଭୁଶୁଡିବା ବେଳେ ଗାଡି ସହିତ କେହି ଲୋକ ନଥିବାରୁ କେବଳ ଗାଡି ଗୁଡିକ କ୍ଷତିଗ୍ରସ୍ତ ହୋଇଛି. ତେବେ ଏହି ଅଘଟଣ ପରେ କୋର୍ଟ ପରିସରରେ ଥିବା ଅନ୍ୟ ପୁରୁଣା ପାଚେରିର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ମରାମତି ଏବଂ ସୁରକ୍ଷିତ ପାର୍କିଂ ବ୍ୟବସ୍ଥା କରିବାକୁ ଦାବି ଉଠିଛି। ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନନେଲେ ଆଗକୁ ଏଭଳି ଅଘଟଣ ପୁନରାବୃତ୍ତି ହେବାର ଆଶଙ୍କା ରହିଛି। ତେଣୁ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପାଚେରିର ମରାମତି ଓ ପାର୍କିଂ ବ୍ୟବସ୍ଥାର ସୁଧାର ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହେଉଛି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0