ମୟୂରଭଞ୍ଜର ଗର୍ବ ପାର୍ବତୀଙ୍କୁ ପୁଣି ଭାରତୀୟ ଦଳରେ ସୁଯୋଗ

Oct 11, 2026 - 19:44
 0  3
ମୟୂରଭଞ୍ଜର ଗର୍ବ ପାର୍ବତୀଙ୍କୁ ପୁଣି ଭାରତୀୟ ଦଳରେ ସୁଯୋଗ

ବାରିପଦା - ତା :-୧୧/୧୦/୨୬ ରିଖ ଗ୍ରାମାଞ୍ଚଳର ମାଟିରୁ ଆରମ୍ଭ କରି ଭାରତୀୟ ଜର୍ସି ପିନ୍ଧି ଅନ୍ତର୍ଜାତୀୟ ମଞ୍ଚରେ ନିଜ ପ୍ରତିଭାର ପରିଚୟ ଦେଇଥିବା ମୟୂରଭଞ୍ଜର ଝିଅ ପାର୍ବତୀ ହାଁସଦା ପୁଣି ଥରେ ଭାରତୀୟ ମହିଳା ରଗ୍‌ବୀ ଦଳରେ ସ୍ଥାନ ପାଇଛନ୍ତି। ଶ୍ରୀଲଙ୍କାର କଲମ୍ବୋଠାରେ ଅକ୍ଟୋବର ୧୭ ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗ୍‌ବୀ ଏମିରେଟ୍ସ ସେଭେନ୍ସ ସିରିଜ୍‌ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ନିକଟରେ ଜାପାନର ନାଗୋୟାଠାରେ ଅନୁଷ୍ଠିତ ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରଗ୍‌ବୀ ଦଳର ସଦସ୍ୟା ଭାବେ ଦେଶକୁ ପ୍ରତିନିଧିତ୍ୱ କରି ଫେରିଥିବା ପାର୍ବତୀଙ୍କ ଏହି ନୂଆ ସଫଳତା ମୟୂରଭଞ୍ଜ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ I ପାର୍ବତୀଙ୍କ କ୍ରୀଡ଼ା ଜୀବନ ସଂଘର୍ଷ, ଅଧ୍ୟବସାୟ ଓ ସଫଳତାର ଏକ ପ୍ରେରଣାଦାୟକ କାହାଣୀ। ସେ ୨୦୨୨ରେ ଏସିଆ ରଗ୍‌ବୀ ଅଣ୍ଡର-୧୮ ଓ ଅଣ୍ଡର-୨୦ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଖେଳି ଦୁଇଟି ରୌପ୍ୟପଦକ ହାସଲ କରିଥିଲେ। ଏହାବ୍ୟତୀତ ୨୦୨୨ ଜାତୀୟ କ୍ରୀଡ଼ା, ୨୦୨୩ ଜାତୀୟ ଚାମ୍ପିୟନସିପ୍‌, ୨୦୨୫ ଜାତୀୟ କ୍ରୀଡ଼ା ଏବଂ ୨୦୨୬ ସିନିୟର ଜାତୀୟ ରଗ୍‌ବୀ ସେଭେନ୍ସ ଚାମ୍ପିୟନସିପ୍‌ରେ ଓଡ଼ିଶା ଦଳର ସ୍ୱର୍ଣ୍ଣପଦକ ବିଜୟରେ ସେ ଅଂଶୀଦାର ରହିଛନ୍ତି। କାସା ସେଭେନ୍ସ ରଗ୍‌ବୀ ଟୁର୍ଣ୍ଣାମେଣ୍ଟରେ ଦଳର ଅଧିନାୟିକା ଭାବେ ଦାୟିତ୍ୱ ତୁଲାଇ ସେ ନିଜର ନେତୃତ୍ୱ ଦକ୍ଷତାର ମଧ୍ୟ ପରିଚୟ ଦେଇଛନ୍ତି I ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀରେ ପ୍ରଶିକ୍ଷଣ ଓ ସହଯୋଗ ପାଇ ନିଜ ପ୍ରତିଭାକୁ ଶାଣିତ କରିଥିବା ପାର୍ବତୀଙ୍କ ଏହି ଯାତ୍ରା ପ୍ରମାଣ କରୁଛି ଯେ ଉପଯୁକ୍ତ ସୁଯୋଗ, ନିଷ୍ଠା ଓ କଠିନ ପରିଶ୍ରମ ମିଳିଲେ ଗ୍ରାମାଞ୍ଚଳର ପିଲାମାନେ ମଧ୍ୟ ଦେଶ ପାଇଁ ଗୌରବ ଆଣିପାରିବେI ପାର୍ବତୀଙ୍କ ଏହି ଅସାଧାରଣ ସଫଳତା ପାଇଁ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ବିଜୟ କୁମାର ଦାସ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ ଓ ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ ଓ ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଏବଂ ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର ଓ ଅଜିତ କୁମାର ହାଁସଦା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ମୟୂରଭଞ୍ଜ ଜିଲ୍ଲା ରଗ୍‌ବୀ ସଂଘ, ଓଡ଼ିଶା ରଗ୍‌ବୀ ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗ ପାଇଁ ଏକାଡେମୀର ସମସ୍ତ ଖେଳାଳି ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ