ମାଲକାନଗିରି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ:+୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଗ୍ରୀଷ୍ମକାଳୀନ କୋଚିଂ ଆରମ୍ଭ

Apr 28, 2026 - 21:57
 0  14
ମାଲକାନଗିରି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ:+୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଗ୍ରୀଷ୍ମକାଳୀନ କୋଚିଂ ଆରମ୍ଭ

ମାଲକାନଗିରି,୨୮/୪/୨୬: ମାଲକାନଗିରି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ମାର୍ଗଦର୍ଶନରେ +୨ ବିଜ୍ଞାନ ଆଶାୟୀଙ୍କ ପାଇଁ ଗ୍ରୀଷ୍ମକାଳୀନ ପାଠ୍ୟକ୍ରମ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ପ୍ରସାଦ ବେହେରା, ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି ଯୁକ୍ତ ଦୁଇ ବିଜ୍ଞାନ କଲେଜର ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକଙ୍କୁ ନେଇ ଏକ ଟିମ୍ ଦ୍ୱାରା ଏହା ପରିଚାଳିତ ହେଉଛି। ଏହି ପାଠ୍ୟକ୍ରମ ୫ ଏପ୍ରିଲ ୨୦୨୬ ରୁ ଆରମ୍ଭ ହୋଇଛି। ଏଚଏସଇ ପରୀକ୍ଷା ଦେଇଥିବା ବିଭିନ୍ନ ହାଇସ୍କୁଲର +୨ ବିଜ୍ଞାନ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିଲା। ଆଗାମୀ ନିଟ୍ ଏବଂ ଜେଇଇ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ସମନ୍ୱିତ ଗ୍ରୀଷ୍ମକାଳୀନ ପାଠ୍ୟକ୍ରମରେ କୋଚିଂ ନେଉଛନ୍ତି। ଏଠାରେ ଛାତ୍ରଛାତ୍ରୀମାନଙ୍କୁ ଆଗୁଆ +୨ ବିଜ୍ଞାନ ପାଠ୍ୟକ୍ରମ ପଢାଯିବା ସହ ନିଟ୍ ଏବଂ ଜେଇଇ ସମ୍ବନ୍ଧୀୟ ସମସ୍ୟା ଓ ପ୍ରଶ୍ନର ସମାଧାନ କରାଯାଉଛି ।ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାକାର ଅଧିକାଂଶ ଅଭିଭାବକ ଚାଷୀ ଏବଂ ସେମାନଙ୍କ ପିଲାମାନେ ପ୍ରତିଭାବାନ ହୋଇଥିଲେ ମଧ୍ୟ ବ୍ୟୟବହୁଳ ଘରୋଇ କଲେଜରେ ପଢିବାରୁ ବଞ୍ଚିତ ହୁଅନ୍ତି। ସେହିପରି ବ୍ରହ୍ମପୁର, କଟକ, ଭୁବନେଶ୍ୱର, ରାଉରକେଲା ଭଳି ବଡ଼ ସହରରେ ପିଲାମାନଙ୍କୁ ପଢାଇବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ। ଫଳରେ ସେମାନଙ୍କ ପିଲାଙ୍କ ଡାକ୍ତର, ଇଞ୍ଜିନିୟର କିମ୍ବା ବିଜ୍ଞାନ କ୍ଷେତ୍ରରେ କ୍ୟାରିୟର କରିବା, ବୈଜ୍ଞାନିକ ହେବାର ସ୍ୱପ୍ନ ଅଧୁରା ରହିଯାଏ। ଏପର୍ଯ୍ୟନ୍ତ ବହୁତ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ନିଟ୍ ଓ ଜେଇଇ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ଏହି ପଦକ୍ଷେପ ନେଇଛି। ପୋଷ୍ଟ ମାଟ୍ରିକ ସ୍କଲାରସିପ ଅଧୀନରେ ଥିବା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ବିଷୟରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଉଛି, ଯେଉଁଠାରେ ସେମାନେ ନିଜ ପିତାମାତାଙ୍କ ଉପରେ ଆର୍ଥିକ ବୋଝ ନଦେଇ ସରକାରୀ ସହାୟତାରେ ଚିକିତ୍ସା ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ଉଚ୍ଚ ବିଜ୍ଞାନ କ୍ଷେତ୍ରରେ ଉଚ୍ଚଶିକ୍ଷା ଗ୍ରହଣ କରିପାରିବେ।ଅଭିଜ୍ଞ ଶିକ୍ଷକ ଓ ଅଧ୍ୟାପକମାନେ କୌଣସି ପାରିଶ୍ରମିକ ବିନା ଏହି ଶିକ୍ଷାଦାନ କରୁଛନ୍ତି।ଶ୍ରୀ ପଦ୍ମନାଭ , ଅଶୋକ କୁମାର ସ୍ୱର୍ଣ୍ଣକାର, ନଳିନୀ ପାତ୍ର, ସରୋଜିନୀ ସାହୁ ଏବଂ ସେମାନଙ୍କ ଟିମ୍ ଭଳି ଅଧ୍ୟକ୍ଷମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ କୃତଜ୍ଞ। ଅଭିଭାବକମାନେ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରୁଛନ୍ତି।ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଭିନ୍ନ ସରକାରୀ ବିଦ୍ୟାଳୟର ଅଧ୍ୟକ୍ଷମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ