ନେଟୱର୍କ ନାହିଁ, ଜନଶୁଣାଣି ନାହିଁ; ଟାୱାର ଦାବିରେ ପଞ୍ଚାୟତରେ ତାଲ
ସେମିଳିଗୁଡ଼ା, କୋରାପୁଟ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଡିଜିଟାଲ ଯୁଗରେ ବି ମୋବାଇଲ୍ ନେଟୱର୍କରୁ ବଞ୍ଚିତ ଗାଁ। ନା ଠିକ୍ରେ ହୋଇପାରୁଛି ଯୋଗାଯୋଗ, ନା ମିଳିପାରୁଛି ଜରୁରୀ ସେବା। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ନହେବାରୁ ତାତିଛନ୍ତି ଗ୍ରାମବାସୀ। ନେଟୱର୍କ ଟାୱାର ସ୍ଥାପନ ଦାବିରେ ଖୁଡ଼ି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପକାଇଛନ୍ତି ତାଲା। ଏପରିକି ଟାୱାର ସ୍ଥାପନ ନହେବା ପର୍ଯ୍ୟନ୍ତ ଜନଶୁଣାଣି କରାଇ ନଦେବାକୁ ଅଡ଼ି ବସିଛନ୍ତି ଗ୍ରାମବାସୀ। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଖୁଡ଼ି ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ପ୍ରତିବାଦ। ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଗ୍ରାମବାସୀ। ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ମୋବାଇଲ୍ ଟାୱାର ସ୍ଥାପନ ନହେବା ପର୍ଯ୍ୟନ୍ତ ଜନଶୁଣାଣି ହେବାକୁ ଦେବେ ନାହିଁ ବୋଲି ରୋକଠୋକ୍ ଶୁଣାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନେଟୱର୍କ ଅଭାବରୁ ଦୈନନ୍ଦିନ ଯୋଗାଯୋଗଠାରୁ ଆରମ୍ଭ କରି ଅନଲାଇନ୍ କାର୍ଯ୍ୟ ଓ ଜରୁରୀକାଳୀନ ସେବା ପାଇବାରେ ନାନା ସମସ୍ୟା ହେଉଛି। ଏଠାରେ ମୋବାଇଲ୍ ଟାୱାର ସ୍ଥାପନ ହେଲେ ପ୍ରାୟ ୧୦ଟି ଗାଁର ଲୋକେ ଉପକୃତ ହୋଇପାରିବେ। ଏନେଇ ବାରମ୍ବାର ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିଥିବାରୁ ଜନଶୁଣାଣି ପାଇଁ ଆସିଥିବା ବ୍ଲକସ୍ତରୀୟ ଅଧିକାରୀମାନେ ଫେରିଯାଇଥିବା ଜଣାପଡ଼ିଛି। ଟାୱାର ସ୍ଥାପନ ନହେବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ବୋଲି ଗ୍ରାମବାସୀ ଜିଦ୍ ଧରିବା ସହ ଆଗାମୀ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଶେଷରେ ପ୍ରଶ୍ନ ଉଠୁଛି, ଦୀର୍ଘଦିନର ଏହି ମୌଳିକ ସମସ୍ୟା ପ୍ରତି କେବେ ଦୃଷ୍ଟି ଦେବ ପ୍ରଶାସନ? କେବେ ଖୁଡ଼ି ପଞ୍ଚାୟତବାସୀଙ୍କୁ ମିଳିବ ନେଟୱର୍କ ସୁବିଧା?
କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0