ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ:୪୮ ହଜାରରୁ ଉର୍ଦ୍ଧ୍ୱ ନାମ ବାଦ୍, ସ୍ୱତନ୍ତ୍ର ଅଭିଯାନ ଜରିଆରେ ପରିମାର୍ଜନ ପ୍ରକ୍ରିୟା ଜାରି

Oct 10, 2026 - 15:46
 0  13
ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ:୪୮ ହଜାରରୁ ଉର୍ଦ୍ଧ୍ୱ ନାମ ବାଦ୍, ସ୍ୱତନ୍ତ୍ର ଅଭିଯାନ ଜରିଆରେ ପରିମାର୍ଜନ ପ୍ରକ୍ରିୟା ଜାରି

*ମାଲକାନଗିରି, ୧୦ ଅକ୍ଟୋବର:* ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍)-୨୦୨୬ ଅଧୀନରେ ଭୋଟର ତାଲିକାକୁ ଅଧିକ ସଠିକ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆୟୋଜିତ ହୋଇଯାଇଛି, ଯେଉଁଥିରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଏବଂ ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ନୂତନ ଯୁବ ଭୋଟରମାନଙ୍କୁ ଫର୍ମ-୬ ମାଧ୍ୟମରେ ନାମ ସାମିଲ କରିବାର ସୁଯୋଗ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଗଣନା ସମୟରେ ୪୭,୩୫୫ ଜଣ ଏବଂ ଖସଡ଼ା ପ୍ରକାଶନ ପରେ ୧,୧୮୯ ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ୪୮,୫୪୪ ଜଣ ଭୋଟରଙ୍କ ନାମ ବାଦ୍ ଦିଆଯାଇଥିଲା। ଏହି ପ୍ରକ୍ରିୟା ମଧ୍ୟରେ ୯,୮୫୪ ଜଣ ଭୋଟରଙ୍କ ତଥ୍ୟ ସତ୍ୟାପନ କରାଯାଇଛି। ଯାଞ୍ଚ ସମୟରେ ୬୬ ଜଣ ଭୋଟର ଭୁଲ୍‌ବଶତଃ ବାଦ୍ ପଡ଼ିଥିବା ଚିହ୍ନଟ ହୋଇଛନ୍ତି, ଯେଉଁଥିରୁ ୪୩ ଜଣଙ୍କଠାରୁ ପୁନଃ ନାମ ଦାଖଲ ଆବେଦନପତ୍ର ଗ୍ରହଣ କରାଯାଇଛି। ଏହା ବ୍ୟତୀତ ନୂତନ ଓ ଯୁବ ଭୋଟରଙ୍କଠାରୁ ୩୬୭ ଟି ଆବେଦନପତ୍ର ମିଳିବା ସହ ଜିଲ୍ଲାରେ ସମୁଦାୟ ୪୧୦ ଟି ଆବେଦନପତ୍ର ଗ୍ରହଣ କରାଯାଇସାରିଛି। ଏହି କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସମୁଦାୟ ୧୦୪ ଟି ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି। ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସ୍ୱଚ୍ଛ କରିବା ପାଇଁ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ତାଲିକା ଜିଲ୍ଲା ୱେବସାଇଟ୍ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ଉପଲବ୍ଧ କରାଯିବା ସହ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ପ୍ରଦାନ କରାଯାଉଛି। ଏହାଦ୍ୱାରା ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ମିଳିପାରୁଛି। ଏଥିସହିତ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ନାଗରିକମାନଙ୍କୁ ଆବେଦନ ପ୍ରକ୍ରିୟାରେ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଲିମେଳା, ପୋଡ଼ିଆ, ଚିତ୍ରକୋଣ୍ଡା ବ୍ଲକ ଏବଂ ମାଲକାନଗିରି ପୌରାଞ୍ଚଳରେ ମୋଟ ୨୮,୫୪୨ ଜଣ ଭୋଟର ବାଦ୍ ପଡ଼ିଥିଲେ। ଏଠାରେ ୪,୯୦୯ ଜଣଙ୍କ ତଥ୍ୟ ଯାଞ୍ଚ କରାଯାଇଥିବା ବେଳେ ୩୬ ଜଣ ଭୁଲ୍‌ବଶତଃ ବାଦ୍ ପଡ଼ିଥିବା ଚିହ୍ନଟ ହୋଇଛନ୍ତି। ସମୁଦାୟ ୨୨୮ ଟି ଆବେଦନପତ୍ର ଗ୍ରହଣ କରାଯାଇଥିବା ବେଳେ ଏଥିପାଇଁ ୪୭ ଟି ଶିବିର ଆୟୋଜନ କରାଯାଇଛି। ଅପରପକ୍ଷରେ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଥିଲି, ଖାଇରପୁଟ, ଚିତ୍ରକୋଣ୍ଡା, କୋରୁକୋଣ୍ଡା, କାଲିମେଳା ବ୍ଲକ ଏବଂ ବାଲିମେଳା ନଗର ପଞ୍ଚାୟତ ଅଞ୍ଚଳରେ ସମୁଦାୟ ୨୦,୦୦୨ ଜଣ ଭୋଟର ବାଦ୍ ପଡ଼ିଥିଲେ। ଏଠାରେ ୪,୯୪୫ ଜଣଙ୍କ ତଥ୍ୟ ଯାଞ୍ଚ କରାଯାଇ ୩୦ ଜଣ ଭୁଲ୍‌ବଶତଃ ବାଦ୍ ପଡ଼ିଥିବା ଜଣାପଡ଼ିଛି। ଏହି ଅଞ୍ଚଳରୁ ୧୮୨ ଟି ଆବେଦନପତ୍ର ମିଳିଥିବା ବେଳେ ସର୍ବାଧିକ ୫୭ ଟି ଶିବିର ଜରିଆରେ ସେବା ଯୋଗାଇ ଦିଆଯାଉଛି। ସମସ୍ତ ଯୋଗ୍ୟ ନାଗରିକ ଓ ନୂତନ ଯୁବ ଭୋଟରଙ୍କୁ ନିଜ ନିଜ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ନିଜର ନାମ ଭୋଟର ତାଲିକାରେ ସାମିଲ ଓ ସଂଶୋଧନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ