ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ

Jul 28, 2026 - 18:24
 0  29
ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ

ଝାରସୁଗୁଡ଼ା, ୨୮।୭(ଫାଷ୍ଟ ନ୍ୟୁଜ ଓଡ଼ିଶା): ଆଗାମୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉତ୍କର୍ଷତା ହାସଲ ତଥା A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ-'ଉନ୍ମେଷ' ପାଇଁ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ବେସଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଷାଠିଏ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ଜିଲ୍ଲାର ୯୪ଟି ଉଚ୍ଚ ବିଦ୍ୟାଳୟରୁ ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଆବଣ୍ଟନ କରାଯାଇଥିବା ବେଳେ ୫୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାର ଚଉଦଟି ପରୀକ୍ଷା କେନ୍ଦ୍ରରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ କେନ୍ଦ୍ର ଅଧିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ବେସଲାଇନ୍ ପରୀକ୍ଷା ମାଧ୍ୟମରେ ମୋଟ ଦୁଇ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସ୍ୱତନ୍ତ୍ର ଶିକ୍ଷଣ ସହାୟତା, ନିୟମିତ ମାର୍ଗଦର୍ଶନ ଓ ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ଘଟାଇ ସେମାନଙ୍କୁ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬–୨୭ରେ ଉଲ୍ଲେଖନୀୟ ସଫଳତା ହାସଲ କରାଇବା ସହିତ ଜିଲ୍ଲାରେ A1 ସଂଖ୍ୟା ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ୨୦୨୪-୨୫ରେ ୫୦ ଜଣ ଓ ୨୦୧୫-୨୬ରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାଦ୍ୱାରା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଜିଲ୍ଲାର ଫଳାଫଳ କ୍ରମାଗତ ବୃଦ୍ଧି ପାଇବା ସହିତ A1 ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଚଳିତ ଶିକ୍ଷା ବର୍ଷରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ଦୁଇ ଶହ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗଡ଼ତିଆ ପ୍ରକାଶ କରିଛନ୍ତି। ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ