ଜରାଜୀର୍ଣ୍ଣ ଅବସ୍ଥାରେ ସ୍କୁଲ, ପାଠ ପଢ଼ିବାରେ ଛାତ୍ରଛାତ୍ରୀ ହନ୍ତସନ୍ତ

Oct 3, 2026 - 21:09
 0  2
ଜରାଜୀର୍ଣ୍ଣ  ଅବସ୍ଥାରେ ସ୍କୁଲ, ପାଠ ପଢ଼ିବାରେ ଛାତ୍ରଛାତ୍ରୀ ହନ୍ତସନ୍ତ

ବାଲିଗୁଡ଼ା ୩/୧୦/୦୨୬:(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ବାରମ୍ବାର ଅଭିଯୋଗ ପରେ ବି ସମସ୍ୟା ସମାଧାନ ହେଉନି ଲୋକଙ୍କ ଦୁଃଖ ବୁଝିବ କିଏ ବିଭିନ୍ନ ପ୍ରକାର ଯୋଜନା ସବୁ କାହା ପାଇଁ ସରକାରଙ୍କ ନିକଟରେ ଲିଖିତ ଅଭିଯୋଗ ଦିଆଗଲା। ସମସ୍ୟା ସମାଧାନ ପାଇଁ ଦାବି ମଧ୍ୟ କରାଗଲା। ହେଲେ ଅଭିଯୋଗ ଫାଇଲ ଭିତରେ ରହିଗଲା, ସମସ୍ୟା କିନ୍ତୁ ସେହିଭଳି ରହିଛି। ବର୍ଷା ହେଲେ ସ୍କୁଲ ଛାତରୁ ପାଣି ଗଳୁଛି, କ୍ଲାସରୁମ୍‌ ଭିତରେ ପାଣି ପଡ଼ୁଛି। ଏଭଳି ବିପଦସଂକୁଳ ପରିବେଶରେ ପାଠ ପଢ଼ୁଛନ୍ତି କୁନିକୁନି ଛାତ୍ରଛାତ୍ରୀ।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବୁଦ୍ରୁକିଆ ପଞ୍ଚାୟତ ଅନ୍ତର୍ଗତ ମୁସୁକୁଲି ଗ୍ରାମର ମୁସୁକୁଲି ପ୍ରାଥମିକ ବିଦ୍ୟାଳୟର ଏହି ଚିତ୍ର। ବର୍ଷା ଦିନେ ସ୍କୁଲ ଛାତରୁ ପାଣି ଗଳି କ୍ଲାସରୁମ୍‌ ଭିତରେ ପଡ଼ୁଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଛାତରୁ ଲଗାତାର ପାଣି ପଡ଼ୁଥିବାରୁ ଅନେକ ସମୟରେ ନିୟମିତ ଭାବେ କ୍ଲାସ ହୋଇପାରୁନଥିବା ମଧ୍ୟ କୁହାଯାଇଛି। ଅଭିଯୋଗ ଅନୁଯାୟୀ, ସ୍କୁଲ ଛାତ ଢଳେଇ କାମ ସଠିକ୍‌ ଭାବେ ହୋଇନଥିବାରୁ ଏଭଳି ସମସ୍ୟା ଉପୁଜିଛି।ଏତିକିରେ ସରିନାହିଁ ସମସ୍ୟା। ସ୍କୁଲ ସାମ୍ନା ବାରଣ୍ଡାରେ ପ୍ରାର୍ଥନା କରିବା ପାଇଁ ମଧ୍ୟ ଶୁଖିଲା ସ୍ଥାନର ଅଭାବ ରହିଛି। ଅନ୍ୟପଟେ ସ୍କୁଲ ପରିସରରେ ଥିବା ସୋକ୍‌ପିଟ୍‌ର ପାଣି ନିଷ୍କାସନ ଟାଙ୍କି ନିକଟରେ ଏକ ବଡ଼ ଗର୍ତ୍ତ ଥିବା ଦେଖିବାକୁ ମିଳିଛି। ଏହି ଗର୍ତ୍ତ ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।କେତେବେଳେ ପିଲାଙ୍କ ଗୋଡ଼ ଖସି ଅଘଟଣ ଘଟିବ, ତାହା କହିହେବ ନାହିଁ। ତେଣୁ ସ୍କୁଲର ଛାତ ମରାମତି ସହ ଗର୍ତ୍ତକୁ ତୁରନ୍ତ ସୁରକ୍ଷିତ କରିବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ତେବେ ଏନେଇ ପୂର୍ବରୁ ଲିଖିତ ଭାବେ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଖବର ପ୍ରସାରଣ ପରେ ପ୍ରଶାସନ କେବେ ମୁସୁକୁଲି ପ୍ରାଥମିକ ବିଦ୍ୟାଳୟ ଉପରେ ଦୃଷ୍ଟି ପକାଇବ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା କେବେ ଦୂର ହେବ, ତାହା ଦେଖିବାକୁ ବାକି ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ