ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ - ୨୦୨୬ ପାଳିତ:ଚାଞ୍ଚଲ୍ୟକର ଖବର ଅପେକ୍ଷା ବିଶ୍ୱସନୀୟତା ଓ ଦାୟିତ୍ୱବୋଧକ ସାମ୍ବାଦିକତା ଆଜିର ସବୁଠାରୁ ବଡ଼ ଆବଶ୍ୟକତା: ଅତିଥିବୃନ୍ଦ

Nov 16, 2026 - 18:59
 0  26
ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ - ୨୦୨୬ ପାଳିତ:ଚାଞ୍ଚଲ୍ୟକର ଖବର ଅପେକ୍ଷା ବିଶ୍ୱସନୀୟତା ଓ ଦାୟିତ୍ୱବୋଧକ ସାମ୍ବାଦିକତା ଆଜିର ସବୁଠାରୁ ବଡ଼ ଆବଶ୍ୟକତା: ଅତିଥିବୃନ୍ଦ

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ - ୨୦୨୬ ପାଳିତ:ଚାଞ୍ଚଲ୍ୟକର ଖବର ଅପେକ୍ଷା ବିଶ୍ୱସନୀୟତା ଓ ଦାୟିତ୍ୱବୋଧକ ସାମ୍ବାଦିକତା ଆଜିର ସବୁଠାରୁ ବଡ଼ ଆବଶ୍ୟକତା: ଅତିଥିବୃନ୍ଦ -କର୍ତ୍ତବ୍ୟବୋଧକୁ ପ୍ରାଧାନ୍ୟ ଦେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆହ୍ୱାନ -କୃତି ଛାତ୍ରଛାତ୍ରୀ ପୁରସ୍କୃତ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ *ଝାରସୁଗୁଡ଼ା, ୧୬।୧୧(ଫାଷ୍ଟ ନ୍ୟଜ ଓଡ଼ିଶା):* ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରେସ୍ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମଠାରେ ଜିଲ୍ଲା ସ୍ତରୀୟ ‘ଜାତୀୟ ପ୍ରେସ୍ ଦିବସ - ୨୦୨୬’ ମହାସମାରୋହରେ

 ପାଳିତ ହୋଇଯାଇଛି। ଚଳିତ ବର୍ଷର ବାର୍ତ୍ତା “ସାମ୍ବାଦିକତା: ଲୋକପ୍ରିୟତା / କର୍ତ୍ତବ୍ୟବୋଧ” ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ସାମ୍ପ୍ରତିକ ସମୟରେ ଚାଞ୍ଚଲ୍ୟକର ଖବର ପରିବେଷଣ ଅପେକ୍ଷା ତଥ୍ୟଭିତ୍ତିକ, ବିଶ୍ୱସନୀୟ ଏବଂ ଦାୟିତ୍ୱବୋଧକ ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ଦିଲୀପ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ, ଜିଲ୍ଲା ପ୍ରେସ୍ କ୍ଲବ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଡ. ସ୍ଵର୍ଣ୍ଣମୟୀ ପୁରୋହିତ ଏବଂ ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀଯୁକ୍ତ ବାଳଗୋବିନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଭାର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ମତବ୍ୟକ୍ତ କରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ କହିଥିଲେ ଯେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକମାନେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ମଜବୁତ ସେତୁ ପରି କାର୍ଯ୍ୟ କରୁଛନ୍ତି। ସେହିପରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ଦିଲୀପ କୁମାର ପ୍ରଧାନ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, ଡିଜିଟାଲ୍ ଯୁଗରେ ଖବରର ଦ୍ରୁତ ପ୍ରସାରଣ ମଧ୍ୟରେ ସତ୍ୟତା ଓ ବିଶ୍ୱସନୀୟତା ବଜାୟ ରଖିବା ହିଁ ଜଣେ ପ୍ରକୃତ ସାମ୍ବାଦିକର ପରିଚୟ। ଜିଲ୍ଲା ପ୍ରେସ୍ କ୍ଲବ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି କହିଥିଲେ ଯେ, କ୍ଷଣସ୍ଥାୟୀ ଲୋକପ୍ରିୟତା କିମ୍ବା ଚାଞ୍ଚଲ୍ୟକର ଖବର ପଛରେ ନଧାଇଁ ସାମ୍ବାଦିକମାନେ ନିଜର ସାମାଜିକ କର୍ତ୍ତବ୍ୟବୋଧକୁ ସର୍ବଦା ଅଗ୍ରାଧିକାର ଦେବା ଉଚିତ। ଅନ୍ୟତମ ଅତିଥି ତଥା କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଡ. ସ୍ଵର୍ଣ୍ଣମୟୀ ପୁରୋହିତ ତୃଣମୂଳ ସ୍ତରର ବିକାଶମୂଳକ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ସକାରାତ୍ମକ ଭୂମିକାକୁ ପ୍ରଶଂସା କରିଥିବା ବେଳେ ସାମ୍ବାଦିକମାନଙ୍କର ନିର୍ଭୀକ ଓ ନିରପେକ୍ଷ କଲମ ଚାଳନା ସମାଜକୁ ସଠିକ୍ ଦିଗଦର୍ଶନ ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଆଲୋଚନାଚକ୍ରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରୁ ସାମ୍ବାଦିକ ଅଜୟ କୁମାର ଶର୍ମା, ଜୀବନ କୁମାର ମହାନ୍ତି, ମହେନ୍ଦ୍ର କୁମାର ସାଏ, ଭୂପାଳ ଚନ୍ଦ୍ର ବେହେରା, ଓୟୁଜେ ସଭାପତି, ଉମାକାନ୍ତ ପଣ୍ଡା ଏବଂ ପ୍ୟାରେଲାଲ ଶ୍ରୀବାସ୍ତବ ପ୍ରମୁଖ ଅଂଶଗ୍ରହଣ କରି ସାମ୍ବାଦିକତାର ଆହ୍ୱାନ ଓ ଦାୟିତ୍ୱବୋଧ ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏଥିସହ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଛାତ୍ରୀ ମାମିନା ମିଞ୍ଜ ମଞ୍ଚ ସମ୍ମୁଖରେ ସାମ୍ବାଦିକତାର ଭୂମିକା ଉପରେ ନିଜର ଅଭିଭାଷଣ ରଖିଥିଲେ। ସଭାରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ‘ସଏଲତା ଡ୍ୟାନ୍ସ ଏକାଡେମୀ’ର ସ୍ୱେଜଲ ପ୍ରଧାନଙ୍କ ତତ୍ତ୍ୱାବଧାନରେ କୁନିକୁନି କଳାକାରମାନେ ମନୋମୁଗ୍ଧକର ସମ୍ବଲପୁରୀ, ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ବେହେରାମାଲ ଆଶ୍ରମ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ପାରମ୍ପରିକ ଆଦିବାସୀ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏହି ଅବସରରେ କଳାକାରମାନଙ୍କୁ ଉତ୍ତରୀୟ, ପୁଷ୍ପଚାରା ଏବଂ ମୋମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ନିହାଲ୍ ଭୋଇ, ମନବୋଧ ବଗର୍ତ୍ତି, ରବିନ୍ଦ୍ର ନିଆଲ, ସୁନୀତା ଗନ୍ଧା, ଜଗନ୍ନାଥ ରାଉତ ଏବଂ ରାମଚନ୍ଦ୍ର ବଇଠା, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

 ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ