ଓ.ଏ.ପି.ଏଫ୍ ଯବାନଙ୍କ ଦୁରୁପଯୋଗ ବନ୍ଦ ଓ PRM ମେଡିକାଲ କଲେଜରେ ପୋଲିସ ଫାଣ୍ଡି ଦାବି, ଏସ୍ପିଙ୍କୁ ବିଜେଡିର ସ୍ମାରକୀ ପତ୍ର
ବାରିପଦା, ଓ.ଏ.ପି.ଏଫ୍ (Odisha Auxiliary Police Force) ଯବାନମାନଙ୍କୁ ସରକାରୀ ଦାୟିତ୍ୱ ବଦଳରେ ଅଫିସରଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜୁ ଜନତା ଦଳ (ବିଜେଡି)। ଏଥିସହ P.R.M. ମେଡିକାଲ କଲେଜ ଓ ହସ୍ପିଟାଲର ନୂତନ କୋଠା (ରଙ୍ଗମାଟିଆ) ପରିସରରେ ତୁରନ୍ତ ଏକ ସ୍ଥାୟୀ ପୋଲିସ ଫାଣ୍ଡି ସ୍ଥାପନ, ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାରେ ୨୪×୭ ପୋଲିସ ପାଟ୍ରୋଲିଂ, ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ହାଇମାଷ୍ଟ ଲାଇଟ୍ ଓ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ଉଠାଇଛି। ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ପୁଲିସ ଅଧୀକ୍ଷକଙ୍କୁ ସାକ୍ଷାତ କରି ଏହି ସମସ୍ତ ଦାବି ଏକ ସ୍ମାରକୀ ପତ୍ର ପ୍ରଦାନ କରିଥିଲେ। ସ୍ମାରକୀ ପତ୍ରରେ ଦର୍ଶାଯାଇଛି ଯେ, ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ କେତେକ ଓ.ଏ.ପି.ଏଫ୍ ଯବାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଅଭିଯୋଗ ପୁଲିସ ବ୍ୟବସ୍ଥାର ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ସହ ଓ.ଏ.ପି.ଏଫ୍ ଯବାନମାନଙ୍କୁ କେବଳ ସରକାରୀ କାର୍ଯ୍ୟରେ ନିୟୋଜିତ କରିବାକୁ ଦଳ ଦାବି କରିଛି। ସେହିପରି, ରଙ୍ଗମାଟିଆ ସ୍ଥିତ ନୂତନ P.R.M. ମେଡିକାଲ କଲେଜକୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସାଧାରଣ ଲୋକଙ୍କ ଯାତାୟାତ ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଅତ୍ୟାବଶ୍ୟକ ବୋଲି ସ୍ମାରକୀ ପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବି ପତ୍ର ରେ ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ବିଜେଡି ସଭାପତି ଶ୍ରୀ ଦେବାଶିଷ ମହାନ୍ତି, ବାରିପଦା ପୌରପରିଷଦ ପୂର୍ବତନ ଉପ ନଗରପାଳ ଶ୍ରୀ ଜିତେନ୍ଦ୍ର ମହାନ୍ତି, ବିଜେଡି ପାର୍ଟି ଅଫିସ ସମ୍ପାଦକ ଶ୍ରୀ ଶୈଳେନ୍ଦ୍ର ପାତ୍ର, ବରିଷ୍ଠ ନେତା ଶ୍ରୀ ପ୍ରଭାତ ନାୟକ, ଜିଲ୍ଲା ବରିଷ୍ଠ ଉପସଭାପତି ଜ୍ଞାନରଞ୍ଜନ ଦାଶ, ବରିଷ୍ଠ ନେତା ଶ୍ରୀ କିଶୋର ପାତ୍ର, ମହେଶ୍ୱର ସାହୁ ଓ ସୁନୀଲ କୁମାର ନାୟକ, ଆଭାସ ଦେ, ଅମିତ ବୈଠା, ମନିଷ ବେହରା, ରିଷି ପରିଛା ଉପସ୍ଥିତ ରହି ପ୍ରଶାସନକୁ ଜନସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଥିଲେ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0