କ୍ଷତିପୂରଣ ସହ ଶାନ୍ତିର ବାର୍ତ୍ତା:ମୃତ ଲାକେ ପଡ଼ିଆମୀଙ୍କ ପରିବାରକୁ ମିଳିଲା ୨୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି-- ଏମଭି-୨୬ ଗ୍ରାମବାସୀଙ୍କୁ କ୍ଷତିପୂରଣ ପ୍ରଦାନ
ମାଲକାନଗିରି, ୪ ଏପ୍ରିଲ: ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏମଭି-୨୬ ଗ୍ରାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୃତ ଲାକେ ପଡ଼ିଆମୀଙ୍କ ପରିବାର ସହ ଶତାଧିକ ଗ୍ରାମବାସୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଏହି ସହାୟତା ପ୍ରଦାନ ପ୍ରକ୍ରିୟା ସ୍ଥାନୀୟ ଅଞ୍ଚଳରେ ଏକ ଆଶ୍ୱସ୍ତିର ବାତାବରଣ ସୃଷ୍ଟି କରିଛି। ବିପତ୍ତି ସମୟରେ ସରକାର ଓ ପ୍ରଶାସନ ଲୋକଙ୍କ ସହ ରହିଥିବା ଏହି ପଦକ୍ଷେପରୁ ସ୍ପଷ୍ଟ ହୋଇଛି। ପ୍ରଭାବିତ ପରିବାରଗୁଡ଼ିକର ଜୀବନଧାରଣକୁ ପୁଣି ସ୍ୱାଭାବିକ କରିବା ପାଇଁ ଏହି ଆର୍ଥିକ ପ୍ୟାକେଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।ଘଟଣାରେ ପ୍ରାଣ ହରାଇଥିବା ସ୍ୱର୍ଗତ ଲାକେ ପଡ଼ିଆମୀଙ୍କ ଦୁଇ ସନ୍ତାନ ରବି ପଡିଆମୀ ଓ ଦେବେ ପଡ଼ିଆମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏମଭି-୨୬ ଗ୍ରାମର କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ମଧ୍ୟ ବ୍ୟାପକ ସହାୟତା ମିଳିଛି।୨୨୬ଟି ପରିବାରକୁ ସେମାନଙ୍କ ଘରୋଇ ସାମଗ୍ରୀ ନଷ୍ଟ ବାବଦକୁ ସମୁଦାୟ ୩ କୋଟି ୩୪ ଲକ୍ଷ ୮୬ ହଜାର ୭୫୦ ଟଙ୍କା ଦିଆଯାଇଛି। ଗ୍ରାମର ୨୪୦ ପରିବାରଙ୍କ ନଷ୍ଟ ହୋଇଥିବା ଦୋକାନ ଓ ପକ୍କା ଘର ବାବଦକୁ ସମୁଦାୟ ୧ କୋଟି ୧୦ ଲକ୍ଷ ୫୯ ହଜାର ୬୨୩ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ସବୁବେଳେ ଜନସାଧାରଣଙ୍କ ସୁଖଦୁଃଖରେ ସାଥୀ ହୋଇ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମେ କ୍ଷୟକ୍ଷତିର ସଠିକ୍ ଆକଳନ କରି ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ଚେଷ୍ଟା କରିଛୁ। ଏହି ଆର୍ଥିକ ସହାୟତା ପ୍ରଭାବିତ ପରିବାରଗୁଡ଼ିକୁ ପୁଣିଥରେ ନୂତନ ଭାବେ ନିଜ ଜୀବିକା ଆରମ୍ଭ କରିବାରେ ସହାୟକ ହେବ। ସହାୟତା ପ୍ରଦାନ ସହ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ନିବେଦନ କରାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ କହିଛନ୍ତି ଯେ, ସାମାଜିକ ଏକତା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ସମସ୍ତ ଗ୍ରାମବାସୀ ମିଳିମିଶି ରହିବା ସହ ଅଞ୍ଚଳର ଉନ୍ନତି ପାଇଁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ, କୋରକୁଣ୍ଡା ବିଡିଓ ଅମୂଲ୍ୟ ମହାପାତ୍ର ,ମାଲକାନଗିରି ତହସିଲଦାର ବିଶ୍ୱରଞ୍ଜନ ବିଶ୍ୱାସ ଏବଂ କୋରକୁଣ୍ଡା ଆଇଆଇସି ଉପସ୍ଥିତ ଥିଲେ। ଏଥିସହିତ ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସମ୍ପାଦକ ନୀଳକଣ୍ଠ ଦୋରା, ଆଦିବାସୀ ମହାସଂଘ ଆଇଟି ସେଲ୍ ମୁଖ୍ୟ କାମେଶ୍ୱର ଆଜମେରା, ରାଖେଲଗୁଡା ପେଦା ଜଗା ମାଡକାମୀ, ରାଖେଲଗୁଡ଼ା ସାନ ପେଦା ଇନ୍ଦ୍ର କୱାସୀ, ବଙ୍ଗାଳୀ ସମାଜ ଉପ ସଭାପତି ସୁନୀଲ ବିଶ୍ୱାସ, ସାଧାରଣ ସଂପାଦକ ମନୋଜ ଚୌଧୁରୀ, ଉପଦେଷ୍ଟା ନିମାଇ ଚନ୍ଦ୍ର ପାଲ ଓ କୋର୍ ସଦସ୍ୟ ଉତ୍ତମ ଓଝା ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉଭୟ ଗ୍ରାମର ଗ୍ରାମବାସୀମାନେ ମଧ୍ୟ ଏହି ଅବସରରେ ସାମିଲ ହୋଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0