ମାଲକାନଗିରି ଜିଲ୍ଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂଶୋଧିତ ପାଠ୍ୟପୁସ୍ତକ ବିତରଣ ଶୁଭାରମ୍ଭ

Oct 15, 2026 - 17:15
 0  9
ମାଲକାନଗିରି ଜିଲ୍ଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂଶୋଧିତ ପାଠ୍ୟପୁସ୍ତକ ବିତରଣ ଶୁଭାରମ୍ଭ

*ମାଲକାନଗିରି,୧୫ ଅକ୍ଟୋବର:* ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସଂଶୋଧିତ ତଥା ତ୍ରୁଟିମୁକ୍ତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ରାଜ୍ୟ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ନିର୍ଦ୍ଦେଶାଳୟରୁ ଜିଲ୍ଲାସ୍ତରୀୟ ଡିପୋକୁ ଆବଶ୍ୟକୀୟ ପାଠ୍ୟପୁସ୍ତକ ପହଞ୍ଚିବା ପରେ, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସମଗ୍ର ଶିକ୍ଷା) ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ୭ଟି ବ୍ଲକକୁ ବହି ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ନିଜେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଆଶୀର୍ବାଦ କଲୋନୀ (ମାଲକାନଗିରି ପୌରାଞ୍ଚଳ) ପରିସରରେ ଉପସ୍ଥିତ ରହି ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନୂତନ ସଂଶୋଧିତ ପୁସ୍ତକ ବଣ୍ଟନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବ୍ଲକ୍‌ସ୍ତରରୁ ଦୁର୍ଗମ ଓ ଉପାନ୍ତ ଅଞ୍ଚଳର ବିଦ୍ୟାଳୟଗୁଡ଼ିକୁ ପୁସ୍ତକ ସୁଚାରୁରୂପେ ପଠାଇବା ପାଇଁ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ କ୍ଲଷ୍ଟର ସମ୍ପଦ କେନ୍ଦ୍ର ସଂଯୋଜକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସ୍ୱାଭିମାନ ଅଞ୍ଚଳ, ଚିତ୍ରକୋଣ୍ଡା, ମାଥିଲି, ପଡ଼ିଆ, କାଲିମେଳା, ଖଇରପୁଟ ଓ କୋରୁକୋଣ୍ଡା ଭଳି ବ୍ଲକ୍‌ଗୁଡ଼ିକର ଶେଷ ସୀମାନ୍ତରେ ଥିବା ବିଦ୍ୟାଳୟଗୁଡ଼ିକରେ ଯେପରି କୌଣସି ଛାତ୍ରଛାତ୍ରୀ ପାଠ୍ୟପୁସ୍ତକରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ ନୂତନ ଓ ପରିମାର୍ଜିତ ବିଷୟବସ୍ତୁ ସହିତ ସଠିକ୍ ପାଠ୍ୟପୁସ୍ତକ ପଢ଼ିବାର ସୁଯୋଗ ପାଇବେ। ବିଷୟଗତ ତ୍ରୁଟି ସଂଶୋଧନ ହୋଇଥିବାରୁ ଏହା ଶ୍ରେଣୀଗୃହ ଶିକ୍ଷାଦାନକୁ ଅଧିକ ସହଜ, ସରଳ ଓ ପ୍ରଭାବଶାଳୀ କରିବ। ସରକାରଙ୍କ ଏହି ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଜିଲ୍ଲାର ଅଭିଭାବକ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ