ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସାମାଜିକ କାର୍ଯ୍ୟ ବିଭାଗର ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ
ବାରିପଦା ୨୮/୦୧: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସାମାଜିକ କାର୍ଯ୍ୟ ବିଭାଗ ଦ୍ଵାରା ଆୟୋଜିତ "ଡାଇଲଗ, ପଲିସି ଆଣ୍ଡ ଡେଭେଲପମେଣ୍ଟ ଅନ୍ ପାର୍ଟିକୁଲାର୍ଲି ଭଲ୍ନେରେବଲ ଟ୍ରାଇବାଲ୍ ଗ୍ରୁପ୍ସ୍ ଫର୍ ବିକଶିତ ଭାରତ ୨୦୪୭" ଶୀର୍ଷକ ଏକ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍ ଉଷା କାର୍ଯ୍ୟକ୍ରମ ପ୍ରାୟୋଜିତ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥିଙ୍କ ମାର୍ଗଦର୍ଶନ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରକୁ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରି ନିଜ ଅଭିଭାଷଣରେ ଛାତ୍ର ଜୀବନରେ ଶୃଙ୍ଖଳା ଓ ସ୍ୱାବଲମ୍ବୀତା ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ଛାତ୍ରଜୀବନରେ ଆତ୍ମନିର୍ଭରଶୀଳତା ହିଁ ମଣିଷକୁ କିପରି ଭବିଷ୍ୟତରେ ସହନଶୀଳତା, ସ୍ୱାଧ୍ୟାୟ ଓ ପରୋପକାରିତା ଶିଖାଇଥାଏ ତାହା ନିଜ ଛାତ୍ରଜୀବନର ଉଦାହରଣରୁ ଉପସ୍ଥାପନ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଗରଡ଼ା ଯୋଗଦାନ କରି ନିଜ ବକ୍ତବ୍ୟରେ ସମାଜରେ ହଜିଯାଉଥିବା ଜନଜାତି ସମ୍ପ୍ରଦାୟମାନଙ୍କର ସୁରକ୍ଷା ପାଇଁ ସମୂହ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଛତିଶଗଡ଼ ରାୟପୁରର କୁଶାଭାଉ ଠାକ୍ରେ ସାମ୍ବାଦିକତା ଓ ଗଣମାଧ୍ୟମ ବିଶ୍ଵବିଦ୍ୟାଳୟର ବିଜ୍ଞାପନ ଓ ଲୋକସମ୍ପର୍କ ବିଭାଗ ମୁଖ୍ୟ ଡ. ଆଶୁତୋଷ ମଣ୍ଡବି ଯୋଗଦାନ କରି ଜନଜାତିର ବିକାଶ ପାଇଁ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ବୈଷୟିକ ସମାଜ ସେବକ ସଂଘର ସଭାପତି ଡ. ଗାୟତ୍ରୀ ପଟ୍ଟନାୟକ ଯୋଗଦାନ କରି ଜନଜାତି ବିକାଶ ଦିଗରେ ସମାଜସେବୀମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍ ଉଷା କାର୍ଯ୍ୟକ୍ରମର ନୋଡାଲ୍ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପିଭିଟିଜିଙ୍କ ବିକାଶରେ ସହାୟକ ହେବ ବୋଲି କହିଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ସହକାରୀ ପ୍ରଫେସର ଡ. ଶୁଭେନ୍ଦୁ ଶତପଥୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସମ୍ପାଦିକା ବିଭାଗୀୟ ସହକାରୀ ପ୍ରଫେସର ପାଏଲ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବିଭାଗୀୟ ସହକାରୀ ପ୍ରଫେସର ଡ. ସୁଜୟ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର୍ ବିଶ୍ୱବିଦ୍ୟାଳୟ, କିସ୍ ବିଶ୍ୱବିଦ୍ୟାଳୟ, ବିଜେପି କଲେଜ ଓ ବିଭିନ୍ନ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକ ଯୋଗଦାନ କରିଛନ୍ତି । ମୟୂରଭଞ୍ଜର ଖଡ଼ିଆ, ମାଙ୍କିଡ଼ିଆ ସାନ୍ତାଳ ଆଦି ବହୁ ଜନଜାତି ଏଥିରେ ଯୋଗଦାନ କରିଛନ୍ତି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0