ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ଖେଲୋ ଇଣ୍ଡିଆ ସମ୍ବାଦ’—‘ଖେଲ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ୍’ କାର୍ଯ୍ୟକ୍ରମ
ବାରିପଦା ୨୭/୮: ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ 'ମାଇଁ ଭାରତ' ସହଯୋଗରେ ‘ଖେଲୋ ଇଣ୍ଡିଆ ସମ୍ବାଦ’—‘ଖେଲ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ୍’ କାର୍ଯ୍ୟକ୍ରମ ଆଜି ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ମାନ୍ୟବର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ, ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଯୋଗଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଇଁ ଭାରତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା କାର୍ଯ୍ୟକ୍ରମର ପରିଚୟ ଓ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ପୂର୍ବାହ୍ନ ୧୧ଟାରେ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚୁଆଲ୍ ଉପସ୍ଥିତି ପରେ ମାଇଁ ଭାରତ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ କେନ୍ଦ୍ର ଯୁବ କାର୍ଯ୍ୟ ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ସ୍ୱାଗତ ଅଭିଭାଷଣ ଏବଂ ଜାତୀୟ କ୍ରୀଡ଼ା ଦିବସ ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ପରବର୍ତ୍ତୀ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୨୦୨୬ ସ୍ୱାଧୀନତା ଦିବସ ଅଭିଭାଷଣରେ କ୍ରୀଡ଼ା କ୍ଷେତ୍ର ସମ୍ପର୍କିତ ମୁଖ୍ୟ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କ୍ରୀଡ଼ା ଓ ଯୁବପିଢ଼ି ସମ୍ପର୍କିତ ବିଷୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ସ୍ଥାନୀୟ ଆୟୋଜିତ ‘ଯୁବ ସମ୍ବାଦ’ ପର୍ଯ୍ୟାୟରେ ସ୍ଥାନୀୟ କ୍ରୀଡ଼ାବିତ୍ ଓ ଯୁବ ପ୍ରତିନିଧିମାନଙ୍କୁ ନେଇ କ୍ରୀଡ଼ା ଭିତ୍ତିଭୂମିର ବିଗତ ବାର ବର୍ଷର ବିକାଶ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ କ୍ରୀଡ଼ାର ଅଭିବୃଦ୍ଧି ଏବଂ ଆଗାମୀ ଅଲିମ୍ପିକ୍ ଓ କମନୱେଲ୍ଥ କ୍ରୀଡ଼ା ପାଇଁ ଭାରତର ପ୍ରସ୍ତୁତି ସମ୍ପର୍କରେ ମତବିନିମୟ କରାଯାଇଥିଲା । ଏହାପରେ ‘ଯୁବ ସମ୍ବାଦ’ରେ ଯୁବପିଢ଼ିଙ୍କ ଚିନ୍ତାଧାରା, ମତାମତ ଓ ଆକାଂକ୍ଷାକୁ ନେଇ ଖୋଲା ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ କ୍ରୀଡ଼ା ବ୍ୟକ୍ତିତ୍ୱଗଣ ଯଥା ସାଇ କଟକର ରଶ୍ମିତା ସାହୁ, ସୁରେଶ ସାହୁ, ଦିବ୍ୟରଞ୍ଜନ ଦାସ ଓ ମୟୂରଭଞ୍ଜର ସୋସିଆଲ ମିଡ଼ିଆ ପ୍ରଭାବକାରୀ ବ୍ୟକ୍ତି ତ୍ରିଲୋଚନ ବିନ୍ଧାଣୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ‘ବିକଶିତ ଭାରତ ନଶାମୁକ୍ତ ଶପଥ’ ଗ୍ରହଣ କରାଯାଇଥିଲା । ଶେଷରେ ମାଇଁ ଭାରତ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇବା ସହ ଧନ୍ୟବାଦ ଅର୍ପଣ ଓ ଜାତୀୟ ସଙ୍ଗୀତ ପରିବେଷଣରେ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଥିଲା । ମାଇଁ ଭାରତର ସ୍ୱେଚ୍ଛାସେବୀ ଶ୍ରୀ ସାଇ ରଞ୍ଜନ ଲେଙ୍କା ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଇଁ ଭାରତ ମୟୂରଭଞ୍ଜର ଉପ ନିର୍ଦ୍ଦେଶକ ସାଥୀ ରାୟ, ଏନ୍ଆଇସି ମୟୂରଭଞ୍ଜର ବୈଜ୍ଞାନିକ ଅଜୟ କୁମାର ମହାପାତ୍ର, ଏନ୍.ଏସ୍.ଏସ୍. ବ୍ୟୁରୋର ସଂଯୋଜକ ଡ଼. ପ୍ରିୟ ରଞ୍ଜନ ଦେବତା, ପି.ଜି. ପୁରୁଷ ୟୁନିଟ୍ର କାର୍ଯ୍ୟକ୍ରମ ଅଧିକାରୀ ଡ଼. ଯତୀନ୍ଦ୍ରନାଥ ବେଶ୍ରା, ଜିଲ୍ଲା ନୋଡାଲ ଅଧିକାରୀ ଡ. ଅନାମ ଚରଣ ରାଉଳ, ଏନ୍.ଏସ୍.ଏସ୍. ବ୍ୟୁରୋର କର୍ମଚାରୀ ଅଜୟ କୁମାର ବଳ, ସୁସ୍ମିତା ପାତ୍ର ଓ ସୁନେଲିକା ପ୍ରହରାଜ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀମାନଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗଦାନ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0