ଏମପିସି କନିଷ୍ଠ ମହାବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ:ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ତୀବ୍ର ଅସନ୍ତୋଷ, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

Oct 13, 2026 - 04:44
 0  10
ଏମପିସି କନିଷ୍ଠ ମହାବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ:ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ତୀବ୍ର ଅସନ୍ତୋଷ, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

ବାରିପଦା ତା ୧୨/୧୦(ଫାଷ୍ଟ୍ ନ୍ୟୁଜ୍) ବାରିପଦାର ପ୍ରତିଷ୍ଠିତ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟକୁ ବଡ଼ବଜାରସ୍ଥିତ ପୁରୁଣା କ୍ୟାମ୍ପସରୁ ତକତପୁରକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ସୋମବାର ଛାତ୍ରଛାତ୍ରୀ ମାନେ ବଡ଼ବଜାର ସ୍ଥିତ କଲେଜ ସମ୍ମୁଖ ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଫଳରେ ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନର କଲେଜ କୋଠା ବିପଦସଙ୍କୁଳ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ନିଷ୍ପତ୍ତିକୁ ସେମାନେ ବିରୋଧ କରୁନାହାନ୍ତି। କିନ୍ତୁ ତକତପୁରସ୍ଥିତ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସରକାରୀ ଆଇଟିଆଇ କ୍ୟାମ୍ପସକୁ ସ୍ଥାନାନ୍ତର କରାଗଲେ ଶିକ୍ଷାଦାନ ସହ ଅନ୍ୟାନ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ତକତପୁର କ୍ୟାମ୍ପସରେ ପୂର୍ବରୁ ଅନ୍ୟ ଶିକ୍ଷାନୁଷ୍ଠାନର ପାଠପଢ଼ା ଚାଲୁଥିବାରୁ ଯଥେଷ୍ଟ ଶ୍ରେଣୀଗୃହ ମିଳିବା କଷ୍ଟକର ହୋଇପାରେ। ଫଳରେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏଥିସହ ବଡ଼ବଜାର ଠାରୁ ତକତପୁରର ଦୂରତା ଅଧିକ ହୋଇଥିବାରୁ ଦୈନିକ ଯାତାୟାତରେ ଛାତ୍ରଛାତ୍ରୀଙ୍କୁ ଅସୁବିଧା ହେବ। ବିଶେଷକରି ଗରିବ ଓ ଦୂରଦୂରାନ୍ତରୁ ଆସି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହେବେ ବୋଲି ସେମାନେ କହିଛନ୍ତି। ବଡ଼ବଜାର ଅଞ୍ଚଳର ବିଭିନ୍ନ ମେସ ଓ ଲଜିଂରେ ରହୁଥିବା ଛାତ୍ରଛାତ୍ରୀଙ୍କ ରହଣି ସମସ୍ୟା ମଧ୍ୟ ଆନ୍ଦୋଳନର ଅନ୍ୟତମ କାରଣ। ଅନେକ ଛାତ୍ରଛାତ୍ରୀ ଆଗୁଆ ଏକ ବର୍ଷର ଭଡ଼ା ଦେଇସାରିଥିବାରୁ ହଠାତ ସ୍ଥାନାନ୍ତର ହେଲେ ସେମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏହାବ୍ୟତୀତ ସାଇକେଲରେ କଲେଜ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି। ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି। ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ଟାଉନ ଥାନା ଅଧିକାରୀ କରୁଣାକର ରାଉତଙ୍କ ସମେତ କଲେଜ କର୍ତ୍ତୃପକ୍ଷ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀ ସୁଭଦ୍ରା ମୁଖୀ ଓ ରୁମା ରାୟ, ଛାତ୍ର ସୌମ୍ୟରଞ୍ଜନ ବ୍ରହ୍ମା ଓ ବିବେକ କୁମାର ରାଉତ, ଅଭିଭାବକ ସୁକୁମାରୀ ମୁଖୀ ଏବଂ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ