ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଘାଟିତ
ବାରିପଦା ୦୪/୦୩: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର 'ବାର୍ଷିକ ଉତ୍ସବ -୨୦୨୬' ଉଦ୍ଘାଟିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟ ସମ୍ମେଳନ କକ୍ଷରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର୍ କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରେ ଛାତ୍ର ଜୀବନରେ ଶୃଙ୍ଖଳା ଓ ନୈତିକତାର ଆବଶ୍ୟକତା ଉପରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରମୋଦ କୁମାର ଶତପଥୀ ପୃଷ୍ଠପୋଷକ ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ସାମ୍ପ୍ରତିକ କୃତିତ୍ୱ ସମ୍ପର୍କରେ କହିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଗବେଷଣା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ସହ ଯୁଗପୋଯୋଗୀ ଆଧୁନିକ ଜ୍ଞାନ ଆହରଣ କରିବାକୁ ଆହ୍ୱାନ କରିଥିଲେ । ବାରିପଦାର ବିଶିଷ୍ଟ ସାହିତ୍ୟିକ ତଥା ସାମାଜିକ କର୍ମୀ କବିବିଷ୍ଣୁ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜାତୀୟତାର ବିକାଶ ନିମିତ୍ତ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ସମ୍ବନ୍ଧରେ ଅଭିବ୍ୟକ୍ତି ରଖିଥିଲେ । ଶିକ୍ଷାର ବିକାଶ ସହ ମାନବିକତା କିପରି ମରି ମରି ଯାଉଛି ତାହାର ଏକ ଚିତ୍ର ସେ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟ କୁଳସଙ୍ଗୀତର ନୂତନ ସଂସ୍କରଣ ମୁଖ୍ୟଅତିଥି ଦ୍ବାରା ଲୋକାର୍ପିତ ହୋଇଥିଲା ଓ ସଭାରେ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଶ୍ଵବିଦ୍ୟାଳୟର ମୁଖପତ୍ର ବନାନୀ କୁ ଅତିଥିଗଣ ଉନ୍ମୋଚନ କରିଥିଲେ । ସାଂସ୍କୃତିକ କମିଟିର ସଂଯୋଜିକା ଡକ୍ଟର ମୋନାଲି ଗୋସ୍ୱାମୀ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ଯକ୍ରମର ବିବରଣୀ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଆ ବିଭାଗର ଗବେଷିକା ସବିତା ବାରିକ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କୁଇଜ, ଝୋଟି, ଓଡ଼ିଆ ଓ ଇଂରାଜୀ ତର୍କ, ପ୍ରବନ୍ଧ, ସଙ୍ଗୀତ ଗାନ, ଏକକନୃତ୍ୟ, ସାମୂହିକ ନୃତ୍ୟ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0