ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ତୀର୍ଥଦର୍ଶନ ଭେଟି:ମୟୂରଭଞ୍ଜର ୧୯୬ ଜଣ ତୀର୍ଥଯାତ୍ରୀଙ୍କ ବାରାଣସୀ ଓ ଅଯୋଧ୍ୟା ଯାତ୍ରା ଆରମ୍ଭ

Oct 11, 2026 - 20:34
 0  1
ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ତୀର୍ଥଦର୍ଶନ ଭେଟି:ମୟୂରଭଞ୍ଜର ୧୯୬ ଜଣ ତୀର୍ଥଯାତ୍ରୀଙ୍କ ବାରାଣସୀ ଓ ଅଯୋଧ୍ୟା ଯାତ୍ରା ଆରମ୍ଭ

ବାରିପଦା, (୧୧/୧୦): ରାଜ୍ୟ ସରକାରଙ୍କ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ମୟୂରଭଞ୍ଜ ଜିଲ୍ଲାର ୧୯୬ ଜଣ ବରିଷ୍ଠ ନାଗରିକ ବାରାଣସୀ ଓ ଅଯୋଧ୍ୟା ତୀର୍ଥଯାତ୍ରାରେ ବାହାରିଛନ୍ତି । ବାରିପଦା ଷ୍ଟାଡିୟମଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଗୁଡ଼ିକୁ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଯାତ୍ରାରେ ୧୯୬ ଜଣ ବରିଷ୍ଠ ନଗରିକ ତୀର୍ଥଯାତ୍ରୀ ଭାବେ ସାମିଲ ହୋଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର କହିଥିଲେ ଯେ, ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଦୀର୍ଘଦିନର ଆକାଂକ୍ଷା ଥିଲା । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଓ ସମର୍ଥନ ଯୋଗୁଁ ଏହି ଆକାଂକ୍ଷା ଆଜି ସାକାର ହୋଇପାରିଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବରିଷ୍ଠ ନାଗରିକମାନଙ୍କୁ ପବିତ୍ର ତୀର୍ଥସ୍ଥଳୀ ଦର୍ଶନର ସୁଯୋଗ ଦେବା ସହ ସେମାନଙ୍କ ଜୀବନରେ ଏକ ସ୍ମରଣୀୟ ଆଧ୍ୟାତ୍ମିକ ଅନୁଭୂତି ଯୋଡ଼ିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ୫ଟି ବସ୍‌ ଯୋଗେ ତୀର୍ଥଯାତ୍ରୀମାନେ ବାରିପଦାରୁ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଅକ୍ଟୋବର ୧୨ ତାରିଖରେ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ସେମାନେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିବେ । ଏହାରି ମଧ୍ୟରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲଲାଙ୍କ ଦର୍ଶନ ସହ ବିଭିନ୍ନ ଧାର୍ମିକ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇବେ । ଯାତ୍ରୀମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଯାତ୍ରାକାଳୀନ ସୁବିଧାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଯାତ୍ରା ପୂର୍ବରୁ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଥିଲା । ଯାତ୍ରା ସମୟରେ ଯାତ୍ରୀଙ୍କ ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୬ ଜଣ ଏସ୍କର୍ଟ ଅଧିକାରୀ ମଧ୍ୟ ତୀର୍ଥଯାତ୍ରାଙ୍କ ସହ ଯାତ୍ରା କରିଛନ୍ତି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନେତ୍ରାନନ୍ଦ ମଲ୍ଲିକ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ହିମାଂଶୁ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ଓ ସଫଳ ରୂପାୟନରେ ଜିଲ୍ଲା ପର୍ଯ୍ୟଟନ ବିଭାଗର ସମସ୍ତ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ