ଦାରିଙ୍ଗବାଡିରେ ଭଲିବଲ ମହାଲଢ଼େଇ ଗଜପତି-କନ୍ଧମାଳ ମଧ୍ୟରେ ରୋମାଞ୍ଚକର ଟକ୍କର, ଦର୍ଶକଙ୍କ ଜମିଲା ଭିଡ଼
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ସାରିଙ୍ଗଇର୍ପି ଇମାନୁଏଲ ଯୁବକ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ଏକଦିବସୀୟ ଭଲିବଲ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ଗଜପତି ଓ କନ୍ଧମାଳର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ତାରକା ଖେଳାଳିଙ୍କ ଉପସ୍ଥିତି ଯୋଗୁଁ ମ୍ୟାଚ୍କୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ମଇଦାନରେ ଆନାକୋଣ୍ଡା, ରୁପା, ବିଟୁ ଓ ଟିଙ୍ଗିରିଙ୍କ ଭଳି ଦକ୍ଷ ଖେଳାଳିଙ୍କ ଦମଦାର ସ୍ମାସ୍, ଡିଫେନ୍ସ ଓ ଆକ୍ରମଣାତ୍ମକ ଖେଳ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା। ପ୍ରତ୍ୟେକ ପଏଣ୍ଟ ପାଇଁ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କାର୍ଯ୍ୟକ୍ରମରେ ବାଲିଗୁଡା ଅଞ୍ଚଳର ସମାଜସେବୀ ଟୁନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। କନ୍ଧମାଳରେ ଭଲିବଲ ଏକ ଲୋକପ୍ରିୟ ଖେଳ ହୋଇଥିବାରୁ ଏହାର ପ୍ରଚାର ଓ ପ୍ରସାର ପାଇଁ ଆୟୋଜକ ସଂଘକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏଥିସହ ଆଗାମୀ ଦିନରେ ଆହୁରି ବଡ଼ ରାଜ୍ୟସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ସେ ଆୟୋଜକଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ଦାରିଙ୍ଗବାଡି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା, ଯୁବ ଠିକାଦାର ରାମେଶ୍ୱର ପାଣିଗ୍ରାହୀଙ୍କ ସମେତ ବହୁ ଅତିଥି ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0