ରୋଜଗାର ବଢ଼ିଲେ ରୋକିହେବ ଦାଦନ: ସାରଙ୍ଗଡରେ ସ୍ୱାକର ବ୍ଲକସ୍ତରୀୟ ବୈଠକ :-ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ସାରଙ୍ଗଡରେ ବ୍ଲକସ୍ତରୀୟ ବୈଠକ

Oct 3, 2026 - 19:09
 0  40
ରୋଜଗାର ବଢ଼ିଲେ ରୋକିହେବ ଦାଦନ: ସାରଙ୍ଗଡରେ ସ୍ୱାକର ବ୍ଲକସ୍ତରୀୟ ବୈଠକ :-ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ସାରଙ୍ଗଡରେ ବ୍ଲକସ୍ତରୀୟ ବୈଠକ

ସାରଙ୍ଗଡ, ୦୩/୧୦: (ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲାକୁ ଦାଦନମୁକ୍ତ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ଜୀବିକାର ସୁଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ସାରଙ୍ଗଡ଼ କୁଇ ସମାଜ ସଭା ଗୃହ ପରିସରରେ ଏକ ବ୍ଲକସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ସୋସିଆଲ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (ସ୍ୱାକ) ପକ୍ଷରୁ ଆୟୋଜିତ ଏହି ବୈଠକରେ ଦାଦନ ସମସ୍ୟାର କାରଣ, ପ୍ରଭାବ ଓ ଏହାର ଦୀର୍ଘମିଆଦି ସମାଧାନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ୱାକ ସଭାପତି ଆମନ ଚନ୍ଦ୍ର ନାୟକ ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ସଦସ୍ୟ-ସମ୍ପାଦକ ହୃଷୀକେଶ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦୁଃଖଦ ଭାବେ ପ୍ରାଣ ହରାଇଥିବା ୧୫ ଜଣ ଶ୍ରମିକଙ୍କ ସ୍ମୃତିରେ ବୈଠକ ଆରମ୍ଭରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ସ୍ଥାନୀୟ ଅଞ୍ଚଳରେ ନିରନ୍ତର ରୋଜଗାର ସୃଷ୍ଟି, ଯୁବପିଢ଼ିଙ୍କୁ ଆତ୍ମନିଯୁକ୍ତି ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ତାଲିମ, ପ୍ରୋତ୍ସାହନ ଏବଂ ବଜାର ସୁଯୋଗ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି କରିବା ସହ ଯେଉଁ କାର୍ଯ୍ୟଗୁଡ଼ିକ ଯାନ୍ତ୍ରିକ ମାଧ୍ୟମରେ କରାଯାଉଛି, ସେଥିରେ ସମ୍ଭବ ସ୍ଥଳେ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରି କାମର ସୁଯୋଗ ସୃଷ୍ଟି କରିବା ନେଇ ମତ ପ୍ରକାଶ ପାଇଥିଲା। ବାହାର ରାଜ୍ୟକୁ କାମ ପାଇଁ ଯାଉଥିବା ଶ୍ରମିକମାନଙ୍କ ନିମନ୍ତେ ସରକାରୀସ୍ତରରେ ଉଚିତ ପଦକ୍ଷେପ ନେବା ସହ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ରୋଜଗାର ଓ ଜୀବିକା ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆଲୋଚନା ହୋଇଥିଲା। ଏଥିସହ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ବଜାର ସଂଯୋଗ ମାଧ୍ୟମରେ ସ୍ଥାନୀୟ ରୋଜଗାର ସୃଷ୍ଟି ପାଇଁ ଉପଯୁକ୍ତ ମଣ୍ଡି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସ୍ଥାନୀୟ ସମ୍ବଳର ସଠିକ୍ ବ୍ୟବହାର, କୃଷି ଓ ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି, କ୍ଷୁଦ୍ର ଓ ଗୃହଭିତ୍ତିକ ଉଦ୍ୟୋଗ ସ୍ଥାପନ ଏବଂ ଆବଶ୍ୟକ ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ସାରଙ୍ଗଡ ସରପଞ୍ଚ ବରୁଣ କହଁରଙ୍କ ସମେତ ରାଜୀବ ପ୍ରଧାନ, ଯୁବରାଜ ମଲ୍ଲିକ, ଅରୁଣ କୁମାର ନାୟକ, ଗଜେନ୍ଦ୍ର ପ୍ରଧାନ, ବିଜୟ ଚନ୍ଦ୍ର ପ୍ରଧାନ, ତ୍ରିନାଥ ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ସାମାଜିକ କର୍ମୀ, ସମାଜସେବୀ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଯୋଗଦେଇଥିଲେ। ସ୍ୱାକ ସଦସ୍ୟା ସସ୍ମିତା ମଲ୍ଲିକ ଓ ମୀନାକ୍ଷୀ ପ୍ରଧାନ, ସଦସ୍ୟ ବିବେକାନନ୍ଦ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଓ ପରମାନନ୍ଦ ପ୍ରଧାନ ବୈଠକ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସ୍ୱାକ ସଦସ୍ୟ ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ