ନୂଆପଡ଼ାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ‘ନୂଆପଡ଼ା ହାଟ’ୱେବ୍ ପୋର୍ଟାଲର ଶୁଭାରମ୍ଭ

May 26, 2026 - 20:36
 0  2
ନୂଆପଡ଼ାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପଞ୍ଚାୟତିରାଜ ଓ ପାନୀୟ ଜଳ  ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ‘ନୂଆପଡ଼ା ହାଟ’ୱେବ୍ ପୋର୍ଟାଲର ଶୁଭାରମ୍ଭ

ନୂଆପଡ଼ା : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ନୂଆପଡ଼ା ଗସ୍ତରେ ଆସି ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ। ଭିତ୍ତିଭୂମି ବିକାଶ ସହିତ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ। ସମୀକ୍ଷା ବୈଠକରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ଅଗ୍ରଗତି ଓ ସଫଳତା ଉପରେ ଆଲୋକପାତ କରିଥିଲେ। ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା ଯେ, ଗତ ୧୧ ବର୍ଷ ମଧ୍ୟରେ ଜିଲ୍ଲାର ୫ଟି ବ୍ଲକରେ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ମୋଟ ୧,୩୪,୬୮୫ଟି ଗୃହ ମଞ୍ଜୁର କରାଯାଇଥିବା ବେଳେ ୧,୧୮,୮୧୮ଟି ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ୮୮ ପ୍ରତିଶତ ସଫଳତା ହାସଲ କରାଯାଇଛି। ଜିଲ୍ଲାର ୬୩୬ଟି ରାଜସ୍ୱ ଗ୍ରାମରେ ୧୧,୨୪୨ଟି ନଳକୂପ ଓ ସାନିଟାରୀ କୂଅ ରହିଛି। ମେଗା ଜଳ ଯୋଗାଣ ପ୍ରକଳ୍ପ ଅଧୀନରେ ଲକ୍ଷ୍ୟ ଧାର୍ଯ୍ୟ ୨୧୬ଟି ଗ୍ରାମ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏମ୍‌ଭିଏସ୍‌, ଏସ୍‌ଭିଏସ୍‌ ଏବଂ ସୌର ପ୍ରକଳ୍ପ ଅଧୀନରେ ୪୨୦ଟି ଗ୍ରାମକୁ ଆବୃତ କରାଯାଇଛି। ଜିଲ୍ଲାର ସମସ୍ତ ୬୩୬ଟି ଗ୍ରାମକୁ “ହର ଘର ଜଳ” ପ୍ରମାଣପତ୍ର ପ୍ରଦାନ କରାଯାଇଥିବାରୁ ନୂଆପଡ଼ା ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି। ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ଯଥା ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଏବଂ ରାଜ୍ୟରେ ପ୍ରଥମ “ବାସନ ବ୍ୟାଙ୍କ” ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକୁ ଜନସାଧାରଣଙ୍କ ଭଲ ସମର୍ଥନ ମିଳୁଥିବାରୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଜିଲ୍ଲାର ଲୋକମାନେ କାର୍ଯ୍ୟ ସନ୍ଧାନରେ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ବର୍ତ୍ତମାନ ଜିଲ୍ଲା ପ୍ରଶାସନଙ୍କ ବିଭିନ୍ନ ଅଭିନବ ପଦକ୍ଷେପ ମାଧ୍ୟମରେ ପ୍ରବାସୀ ଶ୍ରମିକ ସମସ୍ୟା ହ୍ରାସ ପାଇଁ କାର୍ଯ୍ୟ କରାଯାଉଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଉନ୍ନତି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ସେ କହିଥିଲେ। ଜିଲ୍ଲାର କେତେକ ଜଳଭଣ୍ଡାରରେ ଜଳ ସମସ୍ୟା ଥିବା ବିଷୟରେ ଆଲୋଚନା ହୋଇଥିବା ବେଳେ ଏହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଓରମାସ୍‌, ନୂଆପଡ଼ା ପକ୍ଷରୁ କ୍ରେତା ଓ ବିକ୍ରେତାଙ୍କ ପାଇଁ ପ୍ରସ୍ତୁତ ନୂତନ ୱେବ୍ ପୋର୍ଟାଲ “ନୂଆପଡ଼ା ହାଟ” ର ଶୁଭାରମ୍ଭ କରିଥିଲେ। ଏହି ୱେବ୍ ପୋର୍ଟାଲ ମାଧ୍ୟମରେ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମୀଣ ଉଦ୍ୟୋଗୀ ଓ କାରିଗରମାନଙ୍କ ଉତ୍ପାଦକୁ ବଜାର ସଂଯୋଗ ସୁଯୋଗ ମିଳିବା ସହ ସ୍ଥାନୀୟ ଉତ୍ପାଦର ବିପଣନ ବୃଦ୍ଧି ପାଇବ ବୋଲି ପ୍ରକାଶ କରାଯାଇଥିଲା। ନୂଆପଡାରେ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ବଲାଙ୍ଗୀର ଗସ୍ତ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ