ଜିଲ୍ଲାପାଳଙ୍କ ମାଥିଲି ବ୍ଲକ ଗସ୍ତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

Feb 12, 2026 - 10:50
 0  1
ଜିଲ୍ଲାପାଳଙ୍କ ମାଥିଲି ବ୍ଲକ ଗସ୍ତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

ମାଲକାନଗିରି, ୧୧/୨/୨୬: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମାଥିଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଛନ୍ତି। ସର୍ବ ପ୍ରଥମେ ଜିଲ୍ଲାପାଳ ଭେଜାଗୁଡ଼ା ଗ୍ରାମ ପଞ୍ଚାୟତର କୋତାମେଟା ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ଅଧୀନରେ ତିଆରି ହୋଇଥିବା ଅମୃତ ସରୋବର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ସୂଚନା ଥାଉ କି ମିଶନ ଅମୃତ ସରୋବର ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା, ଯାହା ଅଧୀନରେ ଗ୍ରାମାଞ୍ଚଳରେ ଜଳ ସଙ୍କଟ ଦୂର କରିବା ପାଇଁ ପୋଖରୀ ନିର୍ମାଣ ବା ନବୀକରଣ କରାଯାଉଛି। ଏହି ପ୍ରକଳ୍ପ ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି ଏବଂ ମତ୍ସ୍ୟପାଳନ ପରି ଗ୍ରାମୀଣ ଆୟ ବୃଦ୍ଧିରେ ସହାୟକ ହେଉଛି। ସେହିପରି ଜିଲ୍ଲାପାଳ ନାୟକଗୁଡ଼ା ଗ୍ରାମ ପଞ୍ଚାୟତର ନାୟକଗୁଡ଼ା ଗ୍ରାମରେ ୧ କୋଟି ମୂଲ୍ୟ ରେ ନିର୍ମାଣ ହେଉଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର କାର୍ଯ୍ୟର ଅଗ୍ରଗତି ଦେଖିଥିଲେ। ପାଙ୍ଗାମ ପଞ୍ଚାୟତର କଦମଗୁଡା ଗ୍ରାମରେ ଭି ବି ଜି ରାମ ଜି ଅଧୀନରେ ଗ୍ରୀନ କ୍ଲାଇମେଟ ଟ୍ୟାଙ୍କ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ ଜିଲ୍ଲାପାଳ । ଉକ୍ତ ଟ୍ୟାଙ୍କର ସୋନ୍ଦର୍ଯ୍ୟକରଣ, ଗାର୍ଡ ୱାଲ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଙ୍ଗାମ୍ ସ୍ଥିତ ଧାନ ବିକ୍ରୟ କେନ୍ଦ୍ର ମଧ୍ଯ ଗସ୍ତ କରିଥିଲେ ଜିଲ୍ଲାପାଳ। ସେଠାରେ ଚାଷୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଅବଗତ ହୋଇଥିଲେ ଜିଲ୍ଲାପାଳ। ପାଙ୍ଗାମ୍ ଠାରେ ଓଡିଶା ଜୀବିକା ମିଶନ ଦ୍ବାରା ପରିଚାଳିତ ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନ୍ ପାଇଁ ନିର୍ମାଣଧିନ କୋଠା ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ। କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ମାଥିଲି ଠାରେ ନିର୍ମାଣ ଧିନ ଗ୍ରାମୀଣ ପାଠାଗାର କାର୍ଯ୍ୟ ତଦାରଖ କରିଥିଲେ। ପାଠାଗାର ଆସବାବ ପତ୍ର କାର୍ଯ୍ୟ ସରିବା ପରେ ଶୀଘ୍ର ଯୁବକ ଯୁବତୀ ମାନେ ଏହି ପାଠାଗାରକୁ ବ୍ୟବହାର କରି ପାରିବେ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି। ମାଥିଲି ଠାରେ ପୂର୍ତ୍ତ ବିଭାଗ ର ନବୀକରଣ ହେଉଥିବା ଡାକ ବଙ୍ଗଳା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ଜିଲ୍ଲାପାଳ। ସେହିପରି ମାଥିଲି ରେ ନିର୍ମିତ ନୂତନ ବସ୍ ଷ୍ଟାଣ୍ଡ ରେ ଫୁଡ୍ କୋର୍ଟ କାର୍ଯ୍ୟକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ମାଥିଲି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଇଟିଡିଏ ଦ୍ବାରା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ନିମନ୍ତେ ଚାଲିଥିବା ସିଲେଇ ତାଲିମ କେନ୍ଦ୍ର ବୁଲି ଦେଖିଥିଲେ। ଉଦୁଲିବେଡ଼ା ଗ୍ରାମ ପଞ୍ଚାୟତର ବାଲିଗୁଡା ଗ୍ରାମରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଲିଥିବା କାମ ଗୁଡ଼ିକୁ ବୁଲି ଦେଖିଥିଲେ ଜିଲ୍ଲାପାଳ। ପରିଶେଷରେ ଗାରିଆ ଡୁଡୁମା ଯିବା ବାଟରେ କଲଭର୍ଟ ନିର୍ମାଣ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଗାରିଆ ଡୁଡୁମାର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ତେଣୁ ଏହାର ସୋନ୍ଦର୍ଯ୍ୟକରଣ ଉପରେ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ଵ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ନିମନ୍ତେ ଡିପିଆର ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗକୁ ପଠାଇବା ପାଇଁ କୁହାଯାଇଛି। ଯାହାଦ୍ବାରା ଗ୍ରାମ ପଞ୍ଚାୟତର ନିଜସ୍ଵ ରାଜସ୍ବ ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି। ତତ୍ ସଙ୍ଗେ ସଙ୍ଗେ ଏହି ସୁନ୍ଦର ଜଳପ୍ରପାତର ଆଖପାଖ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହ ପରିମଳ ବ୍ୟବସ୍ଥା ଠିକ୍ ରଖିବା ଆମ ସମସ୍ତଙ୍କର ଉତ୍ତର ଦାୟିତ୍ୱ ହେବା ଉଚିତ୍ ବୋଲି ଆହ୍ବାନ କରିଛନ୍ତି ଜିଲ୍ଲାପାଳ। ଅନ୍ୟ ମାନଙ୍କ ମଧ୍ୟରେ ମାଥିଲି ବିଡ଼ିଓ ପ୍ରମୋଦ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ