ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୯୨ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ
ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଲୋକଙ୍କ ବିଭିନ୍ନ ସମସ୍ୟାର ଶୁଣାଣି କରାଯାଇଥିଲା। ଶିବିରରେ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) ଏ. ମାଧବୀଲତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ସିନାପାଲି ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ଶେଖ ନସୀମ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ଜନସାଧାରଣଙ୍କ ୭୯ଟି ବ୍ୟକ୍ତିଗତ ଓ ୧୩ଟି ଗୋଷ୍ଠୀଗତ ଅଭିଯୋଗ ସମେତ ମୋଟ ୯୨ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେଇଥିଲେ। ଏହି ଅବସରରେ ରେଡକ୍ରସ ପାଣ୍ଠିରୁ ଯୁଗଳ କିଶୋର ଦଣ୍ଡସେନାଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ସ୍ୱଚ୍ଛତା କ୍ଷେତ୍ରରେ ଜନସଚେତନତା ସୃଷ୍ଟି ଓ ଉଲ୍ଲେଖନୀୟ ଅବଦାନ ପାଇଁ ଛତିଆଗୁଡ଼ାର ଅରବିନ୍ଦ ହୋତା, ଗୋଡାଲର ଅରୁଣ କୁମାର ହରିଜନ ଓ ଘଣ୍ଟିଗୁଡ଼ାର କୁଞ୍ଜ ବିହାରୀ ମେହେରଙ୍କୁ “ସ୍ୱଚ୍ଛତା ଦୂତ” ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0