।। ରଥଯାତ୍ରାକୁ ମିଳିବ କି ୟୁନେସ୍କୋ ମାନ୍ୟତା ।।

Mar 30, 2023 - 20:34
 0  25
।। ରଥଯାତ୍ରାକୁ ମିଳିବ କି ୟୁନେସ୍କୋ ମାନ୍ୟତା ।।

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ମିଳିବ କି ୟୁନେସ୍କୋରର ମାନ୍ୟତା? ମହାପ୍ରଭୁ ଜଗନ୍ନାଥଙ୍କ ଚଳିତବର୍ଷ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା କେମିତି ମିଳିବ, ସେନେଇ ପ୍ରକ୍ରିୟା ଆରମ୍ଭ କରିଛି ମନ୍ଦିର ପ୍ରଶାସନ। ଆଜି ରଥଯାତ୍ରା ୨୦୨୩ ନିମନ୍ତେ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକ ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ଆକ୍ସନ ପ୍ଲାନ ରିପୋର୍ଟ ପ୍ରଥମ ରଥ ସମନ୍ୱୟ ବୈଠକ ପୂର୍ବରୁ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଏଥିସହ ମନ୍ଦିର ପ୍ରଶାସନ ମଧ୍ୟ ୟୁନେସ୍କୋ ମାନ୍ୟତା ଚଳିତ ବର୍ଷ ହାସଲ କରିବା ପାଇଁ ସବୁ ପ୍ରକାରର ପ୍ରୟାସ ଆରମ୍ଭ କରିଛି। ଚଳିତ ବର୍ଷ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବ ବୋଲି କୁହାଯାଉଛି। ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ରଥଯାତ୍ରା ସମ୍ବନ୍ଧୀୟ ତଥ୍ୟ ଓ ଏହାର ସମସ୍ତ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି। ଏହାକୁ ୟୁନେସ୍କୋକୁ ମଧ୍ୟ ପଠାଯାଇଛି। ୟୁନେସ୍କୋ ଏହାକୁ ଦେଖିବା ପରେ ରଥଯାତ୍ରାକୁ ସ୍ୱତନ୍ତ୍ର ମାନ୍ୟତା ଦେବ ବୋଲି ସମସ୍ତେ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ରଥଯାତ୍ରା ପୂର୍ବରୁ ସହରରେ ଥିବା ବିପଦ ସଂକୁଳ କୋଠା ଗୁଡ଼ିକୁ ଚିହ୍ନଟ କରାଯାଇଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମାସ ଏପ୍ରିଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପଡୁଥିବାରୁ ତା'ପୂର୍ବରୁ ଭୋଇ ସେବକ ଓ ମହାରଣା ସେବକଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରଥମ ପ୍ରସ୍ତୁତି ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବର୍ମା। ଆସନ୍ତା ଜୁନ୍ ୨୦ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥଯାତ୍ରାକୁ ରହିଛି ଆଉ ୮୨ଦିନ। ଏପ୍ରିଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ସେହି ଦିନ ଠାରୁ ପରମ୍ପରା ଅନୁସାରେ ରଥନିର୍ମାଣ କାମ ଆରମ୍ଭ ହେବ। ସେହିଦିନ ଠାରୁ ୪୨ ଦିନିଆ ଚନ୍ଦନଯାତ୍ର ଆରମ୍ଭ। ଆଉ ଅକ୍ଷୟ ତୃତୀୟା ଠାରୁ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ତେଣୁ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରଥ ପ୍ରସ୍ତୁତି ବୈଠକରେ ହୋଇଛି ସ୍ୱତନ୍ତ୍ର ଆଲୋଚନା। ୨୦୨୩ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଓ ସୁସଂଗଠିତ କରାଯିବ ତାକୁ ନେଇ ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିବା ସହ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ପୂର୍ବବର୍ଷ ଭଳି ଏବେଠାରୁ ବିଭାଗୀୟ ଅଧିକାରୀ ମାନଙ୍କୁ ଆଲର୍ଟ କରାଯାଇଛି। ରାସ୍ତାଘାଟ, ବିଜୁଳି , ସ୍ୱାସ୍ଥ୍ୟ ଓ ପରିମଳ, ଗମନାଗମନ, ପୌରସଂସ୍ଥା ,ସୁରକ୍ଷା ଓ ଶୃଙ୍ଖଳାକୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଆକ୍ସନ ପ୍ଲାନ ରିପୋର୍ଟ ପ୍ରଥମ ରଥ ସମନ୍ୱୟ ବୈଠକ ପୂର୍ବରୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଭଳି ଚଳିତବର୍ଷ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ବିଭାଗ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ। ପର୍ଯ୍ୟାପ୍ତ ସଂଖ୍ୟାର ସିସିଟିଭି, ଟ୍ରାଫିକ ଓ ପାର୍କିଂ, ଶ୍ରୀମନ୍ଦିର ଓ ତଟସୁରକ୍ଷା, ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ୨୦୨୨ ପୁଲିସ ବ୍ୟବସ୍ଥା ଭଳି ଚଳିତ ରଥଯାତ୍ରାରେ ସେହି ପ୍ଲାନ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ପାର୍କିଂକୁ ନେଇ ପୌରସଂସ୍ଥା ଓ ରାଜସ୍ୱ ବିଭାଗର ଜଏଣ୍ଟ ଟିମ୍ ଦ୍ୱାରା ପୁରୀ ପୁଲିସ କାର୍ଯ୍ୟ କରିବ ବୋଲି କହିଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ। ଅକ୍ଷୟ ତୃତୀୟା ପୂର୍ବରୁ ହେବ ପ୍ରଥମ ରଥ ସମନ୍ୱୟ ବୈଠକ। ତେବେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ମେ' ମାସ ସୁଦ୍ଧା ଶେଷ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ