ନୂଆପଡ଼ାର ରବି ଧାନ ମଣ୍ଡିର ଶୁଭାରମ୍ଭ : ୫୧ଟି ମଣ୍ଡିରେ ହେବ ଧାନ କ୍ରୟ, ୧୯ ହଜାରରୁ ଅଧିକ ଚାଷୀ ପଞ୍ଜୀକୃତ

May 21, 2026 - 20:05
 0  2
ନୂଆପଡ଼ାର ରବି ଧାନ ମଣ୍ଡିର ଶୁଭାରମ୍ଭ : ୫୧ଟି ମଣ୍ଡିରେ ହେବ ଧାନ କ୍ରୟ, ୧୯ ହଜାରରୁ ଅଧିକ ଚାଷୀ ପଞ୍ଜୀକୃତ

ନୂଆପଡା : ନିୟନ୍ତ୍ରିତ ବଜାର କମିଟି ଖରିଆର ରୋଡ ତରଫରୁ ଆଜିଠାରୁ ନୂଆପଡ଼ା ଜିଲ୍ଲାରେ ରବି ଧାନ କ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି। ଖଡ଼ିଆଳ ଉପ ବଜାର ପ୍ରାଙ୍ଗଣରେ ଆୟୋଜିତ ଉଦଘାଟନୀ ସମାରୋହରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, କଳାହାଣ୍ଡି ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ମେଘ, ସ୍ଥାନୀୟ ସରପଞ୍ଚ ସୁବାସିନୀ ପାନ ଓ ପ୍ୟାକ୍ସ ସଭାପତି ଗୋପୀନାଥ ରାଉତ ରାୟ ପ୍ରମୁଖ ଯୋଗଦେଇ ରବି ଧାନ କ୍ରୟ ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧୯,୩୪୭ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ, ଏହା ଗତ ବର୍ଷ ତୁଳନାରେ ୬,୦୫୦ ଜଣ ଅଧିକ ଓ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ବୋଲି ସୂଚନା ଦିଆଯାଇଥିଲା। ଏହି ବର୍ଷ ଜିଲ୍ଲାର ୨୬ଟି ପ୍ୟାକ୍ସ ମାଧ୍ୟମରେ ୫୧ଟି ମଣ୍ଡିରେ ଧାନ କ୍ରୟ କରାଯିବ। ଆସନ୍ତା ୨୫ ତାରିଖରୁ ଅନ୍ୟାନ୍ୟ ମଣ୍ଡିଗୁଡ଼ିକ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ପ୍ରତ୍ୟେକ ମଣ୍ଡିରେ ସିସି କ୍ୟାମେରା, ପାନୀୟ ଜଳ ସୁବିଧା ସହ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଚଳିତ ବର୍ଷ ଜିଲ୍ଲାରେ ସାଢେ ସାତ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରହିଥିବା ବେଳେ ସାଢେ ଚାରି ଲକ୍ଷ କ୍ୱିଣ୍ଟାଲ ଧାନ ପାଇଁ ଟୋକନ ଆସିସାରିଥିବା ଖଡ଼ିଆଳ ବିଧାୟକ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଚାଷୀଙ୍କ ସୁବିଧା ଓ ସ୍ୱଚ୍ଛ ଧାନ କ୍ରୟ ପ୍ରକ୍ରିୟାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଅବୈଧ ଧାନ ପ୍ରବେଶ ରୋକିବା ପାଇଁ ଜିଲ୍ଲାର ଛଅଟି ସ୍ଥାନରେ ସିସି କ୍ୟାମେରା ସ୍ଥାପନ ସହ ଲୋକ ମୁତୟନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହାସହ ଯଦି କୌଣସି ପ୍ରକୃତ ଚାଷୀଙ୍କ ଟୋକନ କୌଣସି କାରଣବଶତଃ ଲେପ୍ସ ହୋଇଯାଏ, ତେବେ ଯାଞ୍ଚ ପରେ ସେମାନଙ୍କ ଧାନ ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଧାୟକ କହିଥିଲେ। ଚଳିତ ବର୍ଷ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଏହି କ୍ଷମତା ପ୍ରଦାନ କରିଥିବା ସେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ଖଡ଼ିଆଳ ବିଡିଓ ମିଲନ କାନୁ ଝାଙ୍କର, ଖଡ଼ିଆଳ ତହସିଲଦାର ନରସିଂହ ଗଦବା, ଖଡ଼ିଆଳ ବିଧାୟକ ପ୍ରତିନିଧି ଅକ୍ଷୟ କୁମାର ନନ୍ଦ, ଏସିଏସଓ ହୃଷୀକେଶ ନାଏକ, ଖଡ଼ିଆଳ ଯୋଗାଣ ନିରୀକ୍ଷକ ସୌମ୍ୟରଞ୍ଜନ ମହାନନ୍ଦ, ମିଲର୍ସ ରାଜୁ ଖେମକା ସମେତ ଅନ୍ୟାନ୍ୟ ମିଲର୍ସ ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ