ଲାଞ୍ଜିଗଡ଼ ବ୍ଲକରେ ଭିଆରପି ଦ୍ୱାରା ସାମାଜିକ ଅଡ଼ିଟ୍ ସଚେତନତା ବୃଦ୍ଧି ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ

May 3, 2026 - 20:48
 0  1
ଲାଞ୍ଜିଗଡ଼ ବ୍ଲକରେ ଭିଆରପି ଦ୍ୱାରା ସାମାଜିକ ଅଡ଼ିଟ୍ ସଚେତନତା ବୃଦ୍ଧି ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ

ଲଞ୍ଜିଗଡ଼,୦୩/୦୫:ଗ୍ରାମ ସମ୍ବଳ ବ୍ୟକ୍ତି(ଭିଆରପି)ମାନଙ୍କ ଦକ୍ଷତା ଓ ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟରେ ଲାଞ୍ଜିଗଡ଼ ବ୍ଲକ ସ୍ତରରେ ଶନିବାର ଦିନ ଏକ ଦିବସୀୟ ରିଫ୍ରେସର ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରରେ ସ୍ଥାନୀୟ ଭିଆରପିମାନଙ୍କୁ ସାମାଜିକ ସମୀକ୍ଷା ପ୍ରକ୍ରିୟା ସଂକ୍ରାନ୍ତ ଜ୍ଞାନ ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରମ ଅଧିକାରୀ,ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ବ୍ଲକ୍ ସ୍ତରୀୟ ସାମାଜିକ ସମୀକ୍ଷକ ମୁଖ୍ୟ ପ୍ରଶିକ୍ଷକ ଭୂମିକାରେ ଅଂଶଗ୍ରହଣ କରି ଭିଆରପିମାନଙ୍କୁ ସାମାଜିକ ସମୀକ୍ଷାର ବିଭିନ୍ନ ଦିଗ ସଂପର୍କରେ ସ୍ୱତନ୍ତ୍ର ଅଧିବେଶନ ପରିଚାଳନା କରିଥିଲେ।ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ସାମାଜିକ ସମୀକ୍ଷାର ଧାରା,ଗ୍ରାମସଭା ଆୟୋଜନ,ଅଭିଯୋଗ ଦର୍ଜ ଓ ତଦନ୍ତ ପ୍ରକ୍ରିୟା,କ୍ଷେତ୍ର ଯାଞ୍ଚ ପ୍ରଣାଳୀ ଏବଂ ସମୀକ୍ଷାର ତଥ୍ୟ ସଂଗ୍ରହ ଓ ପ୍ରମାଣ ସଂରକ୍ଷଣ ବିଷୟରେ ପ୍ରଶିକ୍ଷଣ ଦିଆଗଲା। ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷକ ଶିବିରରେ ଜଣାଇଲେ ଯେ' ଭିଆରପିମାନେ ଗ୍ରାମ ଓ ପ୍ରଶାସନ ମଧ୍ୟରେ ସେତୁଭଳି ଭୂମିକା ଗ୍ରହଣ କରିଥାନ୍ତି।ସରକାରୀ ଯୋଜନାର ସ୍ୱଚ୍ଛତା ସୁନିଶ୍ଚିତ କରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏପରି ଶିବିର ଭିଆରପିମାନଙ୍କ ଆତ୍ମବିଶ୍ୱାସ ଓ ଦକ୍ଷତାକୁ ଦୃଢ଼ ଭିତ୍ତିଭୂମି ଦେଉଛି। ବ୍ଲକ୍ ଶିକ୍ଷା ଅଧିକାରୀ ଏହି ଅବସରରେ କହିଲେ ଯେ'ସ୍ଥଳ ଯାଞ୍ଚ ଓ ଜନ ସୁନ‌ୱାଇ ସମୟରେ ଭିଆରପିମାନଙ୍କ ଦ୍ୱାରା ସଠିକ ତଥ୍ୟ ସଂଗ୍ରହ ଏବଂ ସ୍ଥାନୀୟ ସ୍ତରରେ ଜନ ସଚେତନତା ବୃଦ୍ଧି ପ୍ରକ୍ରିୟା ଅଧିକ ଫଳପ୍ରଦ ହୋଇ ଥାଏ।ଏଣୁ ଏହିଭଳି ରିଫ୍ରେସର ଶିବିର ନିୟମିତ ଭାବରେ ଆୟୋଜନ କରିବା ଆବଶ୍ୟକ। ବିଏସ୍‌ଏସ୍‌ଓ ଜଣାଇଲେ ଯେ' ଓଡ଼ିଶା ସରକାର ଓ ଓସାଟର ନିର୍ଦ୍ଦେଶନା ଅନୁଯାୟୀ ଏହି ଶିବିର ପରିଚାଳିତ ହୋଇଛି ଏବଂ ଭବିଷ୍ୟତରେ ଗ୍ରାମ ସ୍ତରୀୟ ଅଡ଼ିଟ୍ ପ୍ରକ୍ରିୟା ଆହୁରି ଦୃଢ଼ ଓ ଫଳପ୍ରଦ ହୋଇ ଉଠିବ।ଶିବିର ଶେଷରେ ଉପସ୍ଥିତ ଭିଆରପିମାନେ ମତ ପ୍ରକାଶ କଲେ ଯେ'ଏହା ଏକ ଦିବସୀୟ ପ୍ରଶିକ୍ଷଣ ସେମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଏବଂ ଏଥିରୁ ଅର୍ଜିତ ଜ୍ଞାନ ସେମାନଙ୍କ ସମୀକ୍ଷା କାର୍ଯ୍ୟରେ ଫଳପ୍ରଦ ଭୂମିକା ଗ୍ରହଣ କରିବ।ଉକ୍ତ ଶିବିରରେ ଲଞ୍ଜିଗଡ଼ ବ୍ଲକ ଅଧୀନ ସମସ୍ତ ଭିଆରପି ଅଂଶଗ୍ରହଣ କରି ଏହି ଉଦ୍ୟୋଗକୁ ସ୍ୱାଗତ ଜଣାଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ