ସେପ୍ଟେମ୍ବର ୧୨ ରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬

Sep 3, 2026 - 16:48
Sep 3, 2026 - 16:54
 0  8
ସେପ୍ଟେମ୍ବର ୧୨ ରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬

ନୂଆପଡ଼ା-ଜାତୀୟ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଓ ନୂଆପଡା ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମର ବିଳାସ ବେହେରାଙ୍କ ତତ୍ତ୍ଵାବଧାନରେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ଶନିବାର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ନୂଆପଡ଼ା ଜିଲ୍ଲା କୋର୍ଟ ସମେତ କୋମନା, ଖଡ଼ିଆଳ, ସିନାପାଲି ଓ ବୋଡ଼େନ କୋର୍ଟରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ତଥା ଦେୱାନୀ, ଫୌଜଦାରୀ, ମୋଟର ଦୂର୍ଘଟଣାଜନିତ କ୍ଷତିପୂରଣ, ବୈବାହିକ ବିବାଦ (ଛାଡ଼ପତ୍ରକୁ ବାଦଦେଇ), ଜମି ଅଧିଗ୍ରହଣ, ବିଦ୍ୟୁତ ଓ ଜଳ ଯୋଗାଣ ବିଲ୍ ଦେୟ ଜନିତ ବିବାଦ, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ପ୍ରାକ୍-ମକଦ୍ଦମା ସ୍ତରୀୟ ତଥା ବ୍ୟାଙ୍କ ଋଣ ବିବାଦ, ରାଜସ୍ବ ଓ ଅନ୍ୟାନ୍ୟ ଦେୱାନୀ ଓ ଫୌଜଦାରୀ ମକଦ୍ଦମାଗୁଡ଼ିକର ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ମକଦ୍ଦମା ଓ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼େ ନାହିଁ । ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ହୋଇଥାଏ । ସବିଶେଷ ବିବରଣୀ ନିମନ୍ତେ ନୂଆପଡ଼ା ଜିଲ୍ଲା ଆଇନ ସେବା କାର୍ଯ୍ୟାଳୟର ହେଲ୍ପଲାଇନ୍ ନମ୍ବର ୦୬୬୭୮-୨୨୫୩୩୬ ଏବଂ ଟୋଲ-ଫ୍ରି ନମ୍ବର ୧୫୧୦୦ ସହିତ ତୁରନ୍ତ ଯୋଗାଯୋଗ କରିବାକୁ ସଚିବ ନବନୀତା ଦାଶ ସୂଚନା ଦେଇଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳ ସମ୍ପାଦନା ପାଇଁ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୋର୍ଟ ରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର ସୌଭାଗ୍ୟ ରଞ୍ଜନ ପ୍ରଧାନ, ଏସ.ଡି.ଜେ.ଏମ୍ ସ୍ନାତକୀ ଦାଶ, ଜେ.ଏମ୍.ଏସ.ସି କାହ୍ନୁ କିସକୁ, ଜିଲ୍ଲା ଦେୱାନୀ ଓକିଲ ସଂଘ ସଭାପତି ବିଶ୍ଵମଣୀ ପାଣିଗ୍ରାହୀ, ଜିଲ୍ଲା ଓକିଲ ସଂଘର ସଚିବ ପ୍ୟାରୀଲାଲ ଦେୱାଙ୍ଗନ, ବିଭିନ୍ନ ଜାତୀୟ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡ଼ିକର ପ୍ରବନ୍ଧକଗଣ ପ୍ରମୁଖ ଉପସ୍ଥିତ ହୋଇ ଆଗାମୀ ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳ ସମ୍ପାଦନା ପାଇଁ ରୂପରେଖ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରା ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଙ୍କୁ ଅଧିକରୁ ଅଧିକ ପ୍ରାକ୍-ମକଦ୍ଦମାସ୍ତରୀୟ ବ୍ୟାଙ୍କ ଋଣ ମାମଲାଗୁଡ଼ିକର ରାଷ୍ଟ୍ରୀୟ ଲୋକ ଅଦାଲତରେ ସମାଧାନ କରିବାକୁ ଆହ୍ବାନ କରିଥିଲେ । ସେହିପରି ସଚିବ ସୁଶ୍ରୀ ଦାଶ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ଆପୋଷ ବୁଝାମଣ ଓ ସରଳ ଉପାୟରେ ନିଜ ନିଜର ମାମଲାର ସମାଧାନ ପାଇଁ ଆହ୍ବାନ କରିଥିଲେ । ନୂଆପଡ଼ା ରୁ ବିଶ୍ୱନାଥ ସାମଲ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ