ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବହିହାଟ ସମାପନ
ବାରିପଦା ୦୯/୦୪: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ବହିହାଟ ସମାପନ ହୋଇଯାଇଛି । ଓଡ଼ିଶା ସରକାରଙ୍କ 'ଓଡ଼ିଆ ପକ୍ଷ' ପାଳନ ଅବସରରେ 'ଆସ ବହିଟିଏ କିଣିବା' କାର୍ଯ୍ୟକ୍ରମ ଅନୁଯାୟୀ ମୟୂରଭଞ୍ଜ ତଥା ବହିରାଗତ ଲେଖକ ଓ ବିତରକ ମାନଙ୍କ ପ୍ରଦର୍ଶିତ ବହିହାଟରେ ୨୯ଟି ଷ୍ଟଲ୍ରେ ବହି ବିକ୍ରି ହୋଇଥିଲା । ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ଏହି ବହିହାଟକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଉଦ୍ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ମହାନ୍ତି ସାହିତ୍ୟ ଜୀବନ ସହିତ କିପରି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ସେ ବିଷୟରେ ଆଲୋକପାତ କରିବା ସହ ପୁସ୍ତକ ଗୁଡ଼ିକର ଡିଜିଟାଇଜେସନ ଦ୍ୱାରା ତାହା ଅଧିକରୁ ଅଧିକ ଲୋକଙ୍କୁ ପଢ଼ିବାର ସୁଯୋଗ ଦେଇପାରିବ ବୋଲି ସେ କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବହିହାଟରେ କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଭରତଚନ୍ଦ୍ର ଦେହୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସାହିତ୍ୟ ଓ ସାଂସ୍କୃତିକ ପରିଷଦ ତରଫରୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବାରିକ କୁଳପତି ପ୍ରଫେସର ମହାନ୍ତିଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପୁଣି ପରିଷଦ ତରଫରୁ କବି ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ କୁଳପତି ସମ୍ବର୍ଦ୍ଧିତ କରିଥିଲେ । ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ଡ. ବିଚିତ୍ରନାଥ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ସହ-ସମ୍ପାଦକ ଡ. ସ୍ୱରୁପାନନ୍ଦ ବିଷୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବହିହାଟରେ ଭାଗନେଇଥିବା ସମସ୍ତ ଲେଖକ ଓ ବିତରକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଏକ କବିତା ପାଠୋତ୍ସବରେ ୪୭ ଜଣ କବି ଓ କବୟିତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0