ବାଇକ୍‌ ଚଢ଼ି ଅଗମ୍ୟ ପାହାଡିଆ ଅଞ୍ଚଳ ବୁଲିଲେ ଜିଲ୍ଲାପାଳ, ଦୁର୍ଗମ ଗ୍ରାମରେ ପହଞ୍ଚି ଶୁଣିଲେ ଲୋକଙ୍କ ଦୁଃଖ

Jan 31, 2026 - 20:16
 0  11
ବାଇକ୍‌ ଚଢ଼ି ଅଗମ୍ୟ ପାହାଡିଆ ଅଞ୍ଚଳ ବୁଲିଲେ  ଜିଲ୍ଲାପାଳ, ଦୁର୍ଗମ ଗ୍ରାମରେ ପହଞ୍ଚି ଶୁଣିଲେ ଲୋକଙ୍କ ଦୁଃଖ

କନ୍ଧମାଳ ବ୍ୟୁରୋ ବାଳକୃଷ୍ଣ ଚର୍ଚ୍ଚି. କନ୍ଧମାଳ ଜିଲ୍ଲାର ଅଗମ୍ୟ ଓ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିବା ଓ ସରକାରୀ ଯୋଜନାର ସ୍ଥିତି ସମୀକ୍ଷା କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଶନିବାର ବାଇକ୍‌ ଯୋଗେ ଦୁର୍ଗମ ପାହାଡ଼ିଆ ଅଞ୍ଚଳକୁ ଗସ୍ତ କରିଛନ୍ତି। ପ୍ରଚଳିତ ରାସ୍ତା ଛାଡ଼ି ମାଟିଆ ଓ ପାହାଡ଼ିଆ ପଥ ଦେଇ ଜିଲ୍ଲାପାଳ ତୁମୁଡିବନ୍ଧା ବ୍ଲକ୍‌ ଅଧୀନସ୍ଥ ଗୁର୍ଲିମାସ୍କା ଓ ଗେର୍ମଲ ଭଳି ଦୁର୍ଗମ ଗ୍ରାମକୁ ବାଇକ୍‌ ଯୋଗେ ପହଞ୍ଚିଥିଲେ। ଜଙ୍ଗଲ, ପାହାଡ଼ ଓ ଅସମତଳ ରାସ୍ତା ଅତିକ୍ରମ କରି ଜିଲ୍ଲାପାଳଙ୍କ ଏହି ଗସ୍ତ ଲୋକଙ୍କ ମଧ୍ୟରେ ଆଶା ଓ ଆଶ୍ୱାସନର ଭାବନା ସୃଷ୍ଟି କରିଥିଲା। ଗ୍ରାମରେ ପହଞ୍ଚି ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ରାସ୍ତା ନଥିବା, ବର୍ଷାଦିନେ ଯାତାୟାତ ସମସ୍ୟା, ପାନୀୟଜଳ ଅଭାବ, ବିଦ୍ୟୁତ ସଂଯୋଗ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଘରବାଡ଼ି ଭଳି ମୂଳଭୂତ ସମସ୍ୟା ସମ୍ପର୍କରେ ଲୋକମାନେ ନିଜ ଦୁଃଖ କଥା ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଅନେକ ଗ୍ରାମବାସୀ କହିଥିଲେ ଯେ, ଦୁର୍ଗମତା ଯୋଗୁଁ ସରକାରୀ ଯୋଜନାର ସୁବିଧା ସଠିକ୍‌ ଭାବେ ମିଳିପାରୁନାହିଁ। ଏହାକୁ ଗୁରୁତ୍ୱ ସହ ନେଇ ଜିଲ୍ଲାପାଳ ସମସ୍ତ ସମସ୍ୟା ଲିପିବଦ୍ଧ କରି ସମ୍ବନ୍ଧିତ ବିଭାଗକୁ ତ୍ୱରିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ଆଶ୍ୱାସନ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ଅପ୍ରତ୍ୟାଶିତ ଗସ୍ତ ଓ ଗ୍ରାମବାସୀଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନକୁ ଲୋକମାନେ ଅତ୍ୟନ୍ତ ସ୍ୱାଗତ କରିଥିଲେ। ଅଗମ୍ୟ ଅଞ୍ଚଳକୁ ନିଜେ ପହଞ୍ଚି ପ୍ରଶାସନିକ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିବା ଫଳରେ ଦୀର୍ଘଦିନର ଅନେକ ସମସ୍ୟା ସମାଧାନ ହେବ ବୋଲି ଗ୍ରାମବାସୀମାନେ ଆଶା ପ୍ରକାଶ କରିଥିଲେ। ବେଲଘର, ପଞ୍ଚାୟତ ର ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ବ୍ୟବସ୍ଥା ଉପରେ ତନଖି ବୁଲି ଦେଖିଥିଲେ |ଏହି ଗସ୍ତ ସମୟରେ ତୁମୁଡିବନ୍ଧ ବିଡ଼ିଓ ବନବିହାରୀ ହରପାଲ, କୋଟଗଡ଼ ବିଡ଼ିଓ ଶୁଭକାନ୍ତ ନାୟକ ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା ବିଭିନ୍ନ ବିଭାଗର ଅଧିକାରୀ, କ୍ଷେତ୍ରସ୍ତରୀୟ କର୍ମଚାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ଗ୍ରାମଗୁଡ଼ିକୁ ଗସ୍ତ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ