ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଲକାନଗିରିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଉପ ଜିଲ୍ଲାପାଳ
ମାଲକାନଗିରି,୪/୬/୨୬: ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ସେଠାକାର ସ୍ଥିତି ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ସେ ବାଲି ସାଗର ଅଞ୍ଚଳ, ଆହାର କେନ୍ଦ୍ର, ବସ୍ ଷ୍ଟାଣ୍ଡ ଏବଂ ସହରାଞ୍ଚଳ ଆଶ୍ରୟ ସ୍ଥଳୀ ର ଅନୁଧ୍ୟାନ କରିବା ସହ ସ୍ଥାନୀୟ ଜନସାଧାରଣ ଓ ସରକାରୀ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।ସର୍ବପ୍ରଥମେ ଉପ ଜିଲ୍ଲାପାଳ ବାଲି ସାଗର ଅଞ୍ଚଳ ପରିଦର୍ଶନ କରି ସେଠାରେ ଚାଲିଥିବା ଡ୍ରେନେଜ୍ ଓ ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଯେପରି କୌଣସି ଜଳବନ୍ଦୀ ସମସ୍ୟା ନଉପୁଜେ, ସେଥିପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପୌରପାଳିକାର ଯନ୍ତ୍ରୀ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହାପରେ ସେ ସହରରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରି ସେଠାରେ ଦିଆଯାଉଥିବା ଖାଦ୍ୟର ମାନ ଏବଂ ରୋଷେଇ ଶାଳର ସ୍ୱଚ୍ଛତା ଯାଞ୍ଚ କରିଥିଲେ। କେନ୍ଦ୍ରକୁ ଆସୁଥିବା ହିତାଧିକାରୀମାନଙ୍କ ସହ ସେ ସିଧାସଳଖ କଥା ହୋଇ ସେମାନଙ୍କ ପ୍ରତିକ୍ରିୟା ନେଇଥିଲେ। ଗରିବ ଲୋକଙ୍କୁ ଉତ୍ତମ ଓ ସ୍ୱଚ୍ଛ ପରିବେଶରେ ୫ ଟଙ୍କାରେ ସୁଷମ ଖାଦ୍ୟ ଯୋଗାଇଦେବା ପ୍ରଶାସନର ପ୍ରାଥମିକତା ବୋଲି ସେ ପ୍ରକାଶ କରିଛନ୍ତି।ବସ୍ ଷ୍ଟାଣ୍ଡ ଗସ୍ତ ସମୟରେ ଉପ ଜିଲ୍ଲାପାଳ ସେଠାରେ ଥିବା ଜନସାଧାରଣଙ୍କ ସୁବିଧା ସୁଯୋଗର ତଦାରଖ କରିଥିଲେ। ଯାତ୍ରୀ ପ୍ରତୀକ୍ଷାଳୟର ସଫେଇ, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଏବଂ ରାତି ସମୟରେ ବସ୍ ଷ୍ଟାଣ୍ଡରେ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥାକୁ ତୁରନ୍ତ ସୁଧାରିବା ପାଇଁ ସେ ପରିବହନ ସଂସ୍ଥା ଓ ମ୍ୟୁନିସିପାଲିଟି ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏହା ସହିତ ଉପ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟ ର ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ସହ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ଡାକ୍ତରଖାନାରେ ମାଗଣା ଔଷଧର ଉପଲବ୍ଧତା, ରୋଗୀ ସେବା ଏବଂ ସ୍ୱଚ୍ଛତା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ରୋଗୀମାନଙ୍କୁ ଯେପରି ଉତ୍ତମ ଚିକିତ୍ସା ମିଳିପାରିବ ସେଥିପାଇଁ ସେ ମେଡିକାଲ୍ କର୍ତ୍ତୃପକ୍ଷ ଓ ଉପସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଶେଷରେ ସେ ସହରର ନିରାଶ୍ରୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଅର୍ବାନ ଶେଲଟର ହୋମ୍ ପରିଦର୍ଶନ କରି ସେଠାକାର ରହଣି ବ୍ୟବସ୍ଥା ଓ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରେ ବିଦ୍ୟୁତ ସେବା, ଚିକିତ୍ସା କିଟ୍ ଏବଂ ଶେଯର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ସୁନିଶ୍ଚିତ କରିବାକୁ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କୁହାଯାଇଛି।ଜନସାଧାରଣଙ୍କ ଠାରୁ ମିଳିଥିବା ଅଭିଯୋଗ ଏବଂ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଲାଇନ୍ ଡିପାର୍ଟମେଣ୍ଟକୁ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇଛି। ଜିଲ୍ଲାରେ ସ୍ୱଚ୍ଛ ଓ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ବଜାୟ ରଖିବା ପାଇଁ ଜିଲ୍ଲାପାଳ ଶ୍ରୀ ରାଜସିର୍କେଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ସର୍ବଦା ପ୍ରତିବଦ୍ଧ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0