ବଣ୍ଡାଘାଟିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ
ମାଲକାନଗିରି, ୯/୨/୨୬: ବଣ୍ଡାଘାଟିରେ ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଜିଲ୍ଲାପାଳ ପ୍ରଥମେ ବଡଡୁରାଲ ଗ୍ରାମ ପଞ୍ଚାୟତର ସୀସାପୁଟ ଗ୍ରାମ ଗସ୍ତ କରି ମୁଖ୍ୟମନ୍ତ୍ରୀ ଜନଜାତି ମିଶନ ଅଧୀନରେ ଚାଲିଥିବା ପରିବା ଚାଷ କ୍ଲଷ୍ଟର ବୁଲି ଦେଖିଥିଲେ। ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଅଧିକ ପରିମାଣରେ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ସେଠାରେ ପିଆଜକୁ ସଂରକ୍ଷଣ କରି ରଖିବା ପାଇଁ ପଦକ୍ଷେପ ନେବା ପାଇଁ ପିଏ ଆଇଟିଡିଏଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ବଡଡୁରାଲ ଠାରୁ ଅନ୍ଦ୍ରାହାଲ ରାସ୍ତାରେ ନିର୍ମାଣ ହେଉଥିବା ଏକ ଭିଉ ପଏଣ୍ଟ ରେ ଷ୍ଟିଲ ରେଲିଂ ସାଙ୍ଗକୁ ପର୍ଯ୍ୟଟକ ନିମନ୍ତେ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ କୁହାଯାଇଥିଲା। ଅନ୍ଦ୍ରାହାଲ ଠାରେ ପିଏମ ଜନମନ ଆଦିବାସୀ ନ୍ୟାୟ ମହା ଅଭିଯାନରେ ଚାଲିଥିବା ୧୭୯ ଟି ଗ୍ରାମୀଣ ଆବାସ ନିର୍ମାଣ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ଆଇଟିଡିଏ କୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଗ୍ରାମକୁ ଆଦର୍ଶ ଗ୍ରାମ ରୂପେ ଗଢି ତୋଳିବା ପାଇଁ ପଦକ୍ଷେପ ନିଆଯାଉଛି। ଗ୍ରାମରେ ୧୧୫ ଟି ଛେଳି ଗୁହାଳ ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୦ ଟି ଗୁହାଳ ନିର୍ମାଣ ସରିଥିବା କଥା ସୂଚନା ଦେଇଥିଲେ ପିଏ ଆଇଟିଡିଏ। ଫେବୃଆରି ମାସ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଗ୍ରାମରେ ୧୫ ଟି ପରିବାର ଦେଶୀ ଘୁଷୁରୀ ପାଳନ କରୁଥିବା ଜାଣିବାକୁ ପାଇଥିଲେ ଜିଲ୍ଲାପାଳ। ଏହା ଗ୍ରାମର ପରିମଳ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବାରୁ ସମ୍ପୂର୍ଣ୍ଣ ରୂପେ ଦେଶୀ ଘୁଷୁରୀ ପାଳନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଗ୍ରାମର ଉଭୟ ପାର୍ଶ୍ୱରେ ସୁନ୍ଦର ଗଛ ରୋପଣ କରିବା ମଧ୍ଯ ଆଇଟିଡିଏ କୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଗ୍ରାମର ନିର୍ମାଣଧିନ ସେତୁ ତଥା ଭିଉ ପଏଣ୍ଟ କୁ ଯଥା ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। କାଜୁ ପ୍ରସେସିଙ୍ଗ ୟୁନିଟ୍ ମଧ୍ଯ ବୁଲି ଦେଖିଛନ୍ତି ଜିଲ୍ଲାପାଳ। ଅନ୍ଦ୍ରାହାଲ ପଞ୍ଚାୟତ କୋଠାକୁ ନବୀକରଣ କରିବା ପାଇଁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇଟିଡିଏ ଓ ଉଦ୍ୟାନ କୃଷି ବିଭାଗ ମିଳିତ ଭାବେ ଗ୍ରାମର ପ୍ରତ୍ୟେକ ଘରେ କିଚେନ ଗାର୍ଡେନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପଣସ ଓ ତେନ୍ତୁଳି ଭଳି ଅନ୍ୟାନ୍ୟ ଉତ୍ପାଦର ମଲ୍ଟି ପ୍ରସେସିଂ ୟୁନିଟ୍ କରିବା ପାଇଁ କୁହାଯାଇଛି। ପରେ ଜିଲ୍ଲାପାଳ ବଣ୍ଡାପଡ଼ା ଗସ୍ତ କରି ଷ୍ଟ୍ରୋବେରୀ ଓ କ୍ୟାପସିକମ୍ ଚାଷ ଭଲ ହୋଇଥିବା ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ । ଚାଷୀ ମାନେ ଅଧିକ ପରିମାଣରେ କିଭଳି ଅଧିକ ଲାଭ ଦାୟକ ଚାଷ କରି ପାରିବେ ସେଥି ନିମନ୍ତେ ସାଧନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଆଇଟିଡିଏ ପକ୍ଷରୁ ସଲାର ଲିଫ୍ଟ, ଡ୍ରିଫ୍ ଇରିଗେସନ, ବୋର୍ ୱେଲ ଓ ଚେକ୍ ଡ୍ୟାମ୍ କରିବା ପାଇଁ ଆଇଟିଡିଏ କୁ ନିର୍ଦ୍ଦେଶ ଦିଆଯାଇଛି। ଏଇ ବର୍ଷ ପରେ ଚାଷୀ କିଭଳି ଅଧିକ ସ୍ବାବଲମ୍ବୀ ହେବେ ସେଥି ନିମନ୍ତେ ଦକ୍ଷତା ବୃଦ୍ଧି ତାଲିମ ଦେବା ନିମନ୍ତେ ଆଇଟିଡିଏ କୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀ ଙ୍କ ଉତ୍ପାଦ ଗୁଡ଼ିକୁ ସହଜ ରେ ବଜାର ରେ ଉପଲବ୍ଧ କରାଇବା ପାଇଁ ପରିବହନ ସୁବିଧା କରିବା ପାଇଁ ମଧ୍ଯ ଆଇଟିଡିଏ କୁ କୁହାଯାଇଛି। ଅଦିନରେ ମଧ୍ଯ କିଭଳି ଅଧିକ କ୍ୟାପସିକମ୍ ଚାଷ କରାଯାଇପାରିବ ସେଥି ନିମନ୍ତେ ଚାଷୀ ଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ କୁହାଯାଇଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯଥା ଶୀଘ୍ର ରାସ୍ତା କାମ ସାରିବାକୁ କୁହାଯାଇଛି। ପରିଶେଷରେ ଜିଲ୍ଲାପାଳ ମୁଦୁଲିପଡ଼ା ଠାରେ ସ୍ଥାନୀୟ ଯୁବକଙ୍କ ସହ ଭଲିବଲ ମ୍ୟାଚ୍ ଖେଳିଥିଲେ। କ୍ରୀଡାର ବିକାଶ ପାଇଁ ଖେଳ ପଡିଆର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମଧ୍ଯ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଅନ୍ୟ ମାନଙ୍କ ମଧ୍ୟରେ ପିଏ ଆଇଟିଡିଏ, ଡି ଡି ଉଦ୍ୟାନ କୃଷି, ବଣ୍ଡା ଉନ୍ନୟନ ସଂସ୍ଥା ପି ଏଲ୍, ପ୍ରାଣୀ ସମ୍ପଦ ଏଡିଭିଓ, ବିଡିଓ ଖଇରପୁଟ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0