ପୋଲିସ-ମାଜିଷ୍ଟ୍ରେଟ୍ ମିଳିତ ସମନ୍ୱୟ ବୈଠକ,ସମଗ୍ର ମାଲକାନଗିରି ଜିଲ୍ଲା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ସାମାଜିକ ସଂହତି, ଶାନ୍ତି ଓ ପ୍ରଗତିର ଏକ ନୂତନ ଅଧ୍ୟାୟ ଆରମ୍ଭ
ହିଂସା ମୁକ୍ତ ଏବଂ ଭୟମୁକ୍ତ ସମାଜ ଗଠନ ପାଇଁ ଜିଲ୍ଲାପାଳଙ୍କ ବଡ଼ ଆହ୍ୱାନ
ମାଲକାନଗିରି,୧୫/୫/୨୬: ଜିଲ୍ଲାରେ ବ୍ୟାପକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ଅପରାଧମୁକ୍ତ ବାତାବରଣ ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସାମାଜିକ ସଂହତିକୁ ଅଧିକ ସଦୃଢ଼ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ପରିସରରେ ଏକ ମହତ୍ତ୍ୱପୂର୍ଣ୍ଣ ପୋଲିସ-ମାଜିଷ୍ଟ୍ରେଟ୍ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ଅଧ୍ୟକ୍ଷତାରେ ଏବଂ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ଦୀର୍ଘସମୟ ବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିଲା । ଏହି ଉଚ୍ଚସ୍ତରୀୟ ପ୍ରଶାସନିକ ସମୀକ୍ଷାରେ ଜିଲ୍ଲାର ସମସ୍ତ ଉପଖଣ୍ଡର ତହସିଲଦାର (ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍) ଏବଂ ସମସ୍ତ ଥାନାର ଅଧିକାରୀ ମାନେ ଯୋଗଦେଇ ପ୍ରଶାସନିକ ଓ ପୋଲିସ ମିଳିତ କାର୍ଯ୍ୟାନୁଷ୍ଠାନର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ବୈଠକରେ ଜିଲ୍ଲାର ସମସାମୟିକ ଆଭ୍ୟନ୍ତରୀଣ ସୁରକ୍ଷା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇ ଅନେକ କଠୋର ନିଷ୍ପତ୍ତିମାନ ଗ୍ରହଣ କରାଯାଇଛି । ବିଶେଷ କରି ସରକାରୀ କିମ୍ବା ବେସରକାରୀ ଜମିର ମାପଚୁପ ସମୟରେ ତହସିଲଦାରମାନଙ୍କୁ ସମ୍ପୂର୍ଣ୍ଣ ପୋଲିସ ଫୋର୍ସ ଯୋଗାଇ ଦିଆଯିବ, ଯେପରି ସ୍ଥାନୀୟ ଅଞ୍ଚଳରେ କୌଣସି ଉତ୍ତେଜନା କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ । ଏହାସହ ସରକାରୀ ଜମିକୁ ବେଆଇନ ଭାବେ ମାଡ଼ି ବସିଥିବା ଭୂମି ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଯିବ ଏବଂ ମିଳିତ ଚଢ଼ାଉ କରାଯାଇ ଜବରଦଖଲ ମୁକ୍ତ କରାଯିବ । ପ୍ରତ୍ୟେକ ଗ୍ରାମାଞ୍ଚଳରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବା ସହ ମହିଳା ଓ ଶିଶୁମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେମାନଙ୍କ ଅଭିଯୋଗ ଉପରେ ତୁରନ୍ତ ଦଣ୍ଡବିଧାନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲାର ଆଭ୍ୟନ୍ତରୀଣ ତଥା ସୀମାନ୍ତ ଅଞ୍ଚଳ ଦେଇ ହେଉଥିବା ମାନବ ଚାଲାଣ ରୋକିବା ପାଇଁ ଏକ ସ୍ପେଶାଲ୍ ଟାସ୍କ ଫୋର୍ସ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଛି । ଜିଲ୍ଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସମାଜରେ ଶାନ୍ତି ଭଙ୍ଗ କରୁଥିବା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଗୁଜବ ବା କୌଣସି ସନ୍ଦେହ ଆଧାରରେ ଉତ୍ୟକ୍ତ ଜନତା ଆଇନକୁ ହାତକୁ ନେଇ କାହାକୁ ଆକ୍ରମଣ କଲେ, ସେମାନଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇ ଗିରଫ କରାଯିବ ଏବଂ ଲୋକଙ୍କୁ ସଚେତନ କରିବାକୁ ବ୍ୟାପକ ଗ୍ରାମସଭା ମାନ କରାଯିବ । ଏହା ବ୍ୟତୀତ ଧର୍ମାନ୍ତରୀକରଣ ମାମଲା ଏବଂ ଗୋ-ହତ୍ୟା କିମ୍ବା ବେଆଇନ ଗୋ-ଚାଲାଣ ଭଳି ସମ୍ବେଦନଶୀଳ ମାମଲାକୁ କଡ଼ା ହାତରେ ଦମନ କରାଯିବ, ଯେପରି ସମାଜରେ କୌଣସି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ସୁଯୋଗ ରହିବ ନାହିଁ । ଏହି ସମନ୍ୱୟ ବୈଠକ ମାଧ୍ୟମରେ ସମଗ୍ର ମାଲକାନଗିରି ଜିଲ୍ଲାବାସୀଙ୍କୁ ଶାନ୍ତିପୂର୍ଣ୍ଣ ସହଭାବସ୍ଥାନର ବାର୍ତ୍ତା ଦେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ନିଜର ଅଭିଭାଷଣରେ ସମାଜ ପାଇଁ ଏକ ଅତି ସୁନ୍ଦର ତଥା ପ୍ରେରଣାଦାୟୀ ଆହ୍ୱାନ ଦେଇ କହିଛନ୍ତି, "ଶାନ୍ତି, ମୈତ୍ରୀ ଏବଂ ପାରସ୍ପରିକ ଭାଇଚାରା ହେଉଛି ଆମ ସମାଜର ପ୍ରକୃତ ଶକ୍ତି । ଯେକୌଣସି ବିବାଦର ସମାଧାନ ହିଂସା ଦ୍ୱାରା ନୁହେଁ, ବରଂ ଆଲୋଚନା ଓ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ହିଁ ସମ୍ଭବ । ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଓ ସାମାଜିକ ସଂହତି ରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଆସନ୍ତୁ ଆମେ ସମସ୍ତେ ମିଶି ଏକ ସୁସ୍ଥ, ସୁରକ୍ଷିତ ଏବଂ ଭୟମୁକ୍ତ ସମାଜ ଗଠନ ଦିଗରେ ଆଗେଇ ଆସିବା ଏବଂ ପରସ୍ପର ମଧ୍ୟରେ ସଦ୍ଭାବନା ବଜାୟ ରଖିବା ।" ଏହି ମିଳିତ ବୈଠକ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ପ୍ରଶାସନ ଓ ପୋଲିସ ପ୍ରତି ଥିବା ବିଶ୍ୱାସକୁ ଆହୁରି ଦ୍ୱିଗୁଣିତ କରିଛି । ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିକାଶ ଓ ପ୍ରଗତି କେବଳ ଶାନ୍ତିପୂର୍ଣ୍ଣ ପରିବେଶରେ ହିଁ ସମ୍ଭବ ଏବଂ ଏଥିପାଇଁ ଜିଲ୍ଲାବାସୀଙ୍କ ମିଳିତ ସହଯୋଗ ଏକାନ୍ତ ଆବଶ୍ୟକ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0