ନୂଆପଡ଼ାରେ ବର୍ଷାଜନିତ ସ୍ଥିତି ଉପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ: ୩୮୫ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଜନସାଧାରଣଙ୍କୁ ସତର୍କ ରହିବାକୁ ଆହ୍ୱାନ

Jul 30, 2026 - 21:40
 0  4
ନୂଆପଡ଼ାରେ ବର୍ଷାଜନିତ ସ୍ଥିତି ଉପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ:  ୩୮୫ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଜନସାଧାରଣଙ୍କୁ ସତର୍କ ରହିବାକୁ ଆହ୍ୱାନ

ନୂଆପଡ଼ା, ତା. ୩୦/୦୭: ନୂଆପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ସଦୃଶ ପରିସ୍ଥିତି ଏବଂ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ, ଆଜି ସକାଳ ୮.୩୦ ସୁଦ୍ଧା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ନୂଆପଡ଼ା, କୋମନା, ବୋଡେନ ଓ ଖଡ଼ିଆଳ ସମେତ ୪ଟି ବ୍ଲକର ୯ଟି ଗ୍ରାମ ପଞ୍ଚାୟତ, ୧୩ଟି ଗ୍ରାମ ଏବଂ ନୂଆପଡ଼ା ଏନ୍‌ଏସି ପ୍ରଭାବିତ ହୋଇଛି। ମୋଟ ୩୮୫ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୬ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେଠାରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ଗତ ୨୯ ଜୁଲାଇରୁ ଆରମ୍ଭ ହୋଇଥିବା ମାଗଣା ରନ୍ଧାଖାଦ୍ୟ ବ୍ୟବସ୍ଥା ପ୍ରଭାବିତ ପରିବାରମାନେ ସୁରକ୍ଷିତ ଭାବେ ନିଜ ଘରକୁ ଫେରିବା ପର୍ଯ୍ୟନ୍ତ ଜାରି ରହିବ। ସେ କହିଥିଲେ ଯେ, କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ ଓ ତ୍ୱରିତ ପଦକ୍ଷେପ ପାଇଁ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ବିଭାଗ ସମନ୍ୱୟ ରଖି ପରିସ୍ଥିତି ଉପରେ ନଜର ରଖି କାର୍ଯ୍ୟ କରୁଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ ୬୧ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଜନହାନି କିମ୍ବା ପ୍ରାଣୀହାନିର ସୂଚନା ମିଳିନାହିଁ। କ୍ଷୟକ୍ଷତିର ବିସ୍ତୃତ ଆକଳନ କାର୍ଯ୍ୟ ଚାଲିଥିବା ବେଳେ ୨୪ରୁ ୩୦ ଜୁଲାଇ ମଧ୍ୟରେ ଜିଲ୍ଲାରେ ହାରାହାରି ୩୦୭.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅସୁରକ୍ଷିତ ପରିବାରମାନଙ୍କୁ ୩୫ ରୋଲ୍ (୧୭୫ ଖଣ୍ଡ) ପଲିଥିନ ବଣ୍ଟନ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଅଧିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଆଜି ସକାଳେ ଖଡ଼ିଆଳ ବ୍ଲକର ବିରିଘାଟ ନିକଟରେ ବନ୍ୟାଜଳ ଘେରରେ ଏକ କୁକୁଡ଼ା ଫାର୍ମର ଛାତ ଉପରେ ଫସି ରହିଥିବା ୮ ଜଣ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଥିଲେ। ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲା ସ୍ତରରେ ୨୪×୭ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ରହିଛି। ଯେକୌଣସି ଜରୁରୀ ପରିସ୍ଥିତିରେ ୦୬୬୭୮-୨୨୫୩୫୭ ନମ୍ବରରେ ଯୋଗାଯୋଗ କରି ସହାୟତା ନିଆଯାଇପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଶେଷରେ ଜିଲ୍ଲାପାଳ ଜନସାଧାରଣଙ୍କୁ ନଦୀ ଓ ନାଳ ନିକଟକୁ ନଯିବା, ଅନାବଶ୍ୟକ ଭାବେ ଜଳାବଦ୍ଧ ଅଞ୍ଚଳକୁ ପ୍ରବେଶ ନ କରିବା ଏବଂ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସମସ୍ତ ସତର୍କ ସୂଚନା ଓ ପରାମର୍ଶକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଥିଲେ। ବର୍ଷାଜନିତ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିଥିବା ସେ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ଡେପୁଟି ଜିଲ୍ଲାପାଳ (ଜରୁରୀକାଳୀନ) ଶେଖ ନସିମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ