ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ସହରାଞ୍ଚଳ ବିକାଶରେ ସ୍ୱଚ୍ଛତା, ରାଜସ୍ୱ ଆଦାୟ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Aug 20, 2026 - 05:30
 0  4
ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ସହରାଞ୍ଚଳ ବିକାଶରେ ସ୍ୱଚ୍ଛତା,  ରାଜସ୍ୱ ଆଦାୟ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ା ୧୮/୮: ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପିଡି, ଡୁଡା ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସ୍ୱାଗତ ଜଣାଇବା ସହ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍‌ଏସିର ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଆର୍ଥିକ ସ୍ଥିତି, ରାଜସ୍ୱ ଆଦାୟ, ସହରାଞ୍ଚଳ ଭିତ୍ତିଭୂମି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ସରକାରୀ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସହର ସୌନ୍ଦର୍ଯ୍ୟକରଣ ପାଇଁ ସୁଚିନ୍ତିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ସହ ଏହାର ଠିକ୍‌ ଭାବେ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ବସ୍ତିବାସିନ୍ଦାମାନଙ୍କ ସହ ଆଲୋଚନା କରି ଆବଶ୍ୟକ ସ୍ଥଳେ ଆଇନାନୁସାରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ୨୦୨୬-୨୭ ବର୍ଷର ରାଜସ୍ୱ ଆଦାୟ ସମ୍ପର୍କରେ ସମୀକ୍ଷା ବେଳେ ଖଡ଼ିଆଳ ଏନ୍‌ଏସିରେ ୫୧.୯୧ ଲକ୍ଷ ଟଙ୍କା, ନୂଆପଡ଼ା ଏନ୍‌ଏସିରେ ୪୧.୨୯ ଲକ୍ଷ ଟଙ୍କା ଏବଂ ଖରିଆର ରୋଡ୍ ଏନ୍‌ଏସିରେ ୫୮.୭୧ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ଉପସ୍ଥାପିତ ହୋଇଥିଲା। ରାଜସ୍ୱ ଆଦାୟକୁ ଆହୁରି ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପିଏମ୍‌ଏୱାଇ-୨.୦ ଅଧୀନରେ ନୂଆପଡ଼ା ଏନ୍‌ଏସିରେ ୧୦୧ଟି ଏବଂ ଖରିଆର ରୋଡ୍ ଏନ୍‌ଏସିରେ ୩୯ଟି ନିର୍ମିତ ଗୃହର ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅଗଷ୍ଟ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଅବଗତ କରାଯାଇଥିଲା। ପ୍ଲାଷ୍ଟିକ ନିଷେଧ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମର କଡ଼ାକଡ଼ି ପାଳନ ସହ ଆବଶ୍ୟକ ଏନ୍‌ଫୋର୍ସମେଣ୍ଟ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନୂଆପଡ଼ା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ୍ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କ ସମେତ ଡୁଡାର ଅଧିକାରୀ ଓ କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର, ଏମ୍‌ଆଇଏସ୍ କର୍ମଚାରୀ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ