ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଛନ୍ତି

Jul 8, 2026 - 19:02
 0  34
ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଛନ୍ତି

କୋଲାବିରା, ୮।୭(ଫାଷ୍ଟ ନ୍ୟୁଜ ଓଡ଼ିଶା): ରାଜ୍ୟର ଶିଳ୍ପ ରାଜଧାନୀ ବୋଲାଉଥିବା ଝାରସୁଗୁଡ଼ା ଜିଲ୍ଲାରୁ ରୋଜଗାର ଆଶାରେ ଯାଇଥିଲେ ସୁଦୂର ଗୋଆ। ହେଲେ ସେଠାରେ ତାଙ୍କୁ ବନ୍ଧକ ରଖି ଦିଆଯାଉଛି ନିର୍ଯାତନା। ନିର୍ଯାତନାର ଶିକାର ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ସମାସିଂହା ପଞ୍ଚାୟତ ଜଳଡ଼ିହି ଗାଁର ରିଙ୍କୁ ବାଗ(୨୫)। ଏଭଳି ଅଭିଯୋଗ ଆସିବା ପରେ ପୁଅକୁ ଓଡ଼ିଶା ଫେରାଇ ଆଣିବା ପାଇଁ ପିତା ମଧୁସୂଦନ ବାଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଗୁହାରି କରିଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ପ୍ରାୟ ଦୁଇ ବର୍ଷ ସେ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିମାଁ ଗାଁର ଜଣେ ଦଲାଲଙ୍କ ପ୍ରରୋଚନାରେ ପଡ଼ି ଜଳଡ଼ିହି ଗାଁର ସୁଜିତ୍ ବାଗ, ସୁରେନ୍ଦ୍ର ବାଗ, ଚତୁର୍ଭୁଜ ଓ ଭଜନଙ୍କ ସହ ରିଙ୍କୁ ମାଛଧରା କାମ କରିବାକୁ ଟ୍ରେନ୍ ଯୋଗେ ଝାରସୁଗୁଡ଼ାରୁ ଗୋଆ ଯାଇଥିଲେ। ସେଠାରେ ଭସ୍କୋଡାଗାମା ନିକଟ ଜୁଆରି ନାମକ ଏକ ସ୍ଥାନରେ ୱେଲକମ ଓ ବିନ୍ଧା ନାମକ କଂପାନୀ ଅଧିନରେ ସେମାନେ କାମ କରୁଥିଲେ। ପ୍ରାୟ ଏକ ବର୍ଷ କାମ କରିବା ପରେ ଗାଁର ଅନ୍ୟ ସମସ୍ତ ଯୁବକ ଗାଁକୁ ଫେରି ଆସିଥିଲେ ମାତ୍ର ରିଙ୍କୁ ଆଜି ପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି। ଅଭିଯୋଗ ଅନୁସାରେ, ସେଠାକାର ଦୁଇ ମାଲିକ ବିନ୍ଧା ଏବଂ ୱେଲକମ୍ ତାଙ୍କୁ ଛାଡୁନାହାନ୍ତି। ପୁଅକୁ ମୁକ୍ତ କରିବା ପାଇଁ କହିଲେ ହତ୍ୟା ଧମକ ଦିଆଯାଉଛି ବୋଲି ପରିବାର ପକ୍ଷରୁ କୁହାଯାଇଛି । ପୁଅ ସହ କଥା ହେବାକୁ ସୁଯୋଗ ଦିଅଯାଉ ନ ଥିବାରୁ ପରିବାର ଘୋର ଚିନ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ପ୍ରଶାସନ ଓ ଗୋଆ ପୁଲିସ ସହାୟତାରେ ରିଙ୍କୁଙ୍କୁ ମୁକ୍ତ କରି ଓଡ଼ିଶା ଫେରାଇ ଆଣିବାକୁ ଅସହାୟ ବାପା ଓ ଆତ୍ମୀୟସ୍ବଜନ ନିବେଦନ କରିଛନ୍ତି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁନୀତା ଲାକ୍ରା କହିଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅଭିଯୋଗ ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। କୋଲାବିରା ଠାରେ ଅବସ୍ଥାପିତ ସହକାରୀ ଶ୍ରମ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । ହେଲେ ଜିଲ୍ଲାରୁ କେତେ ଜଣ ଯୁବକ ଗୋଆ ଏବଂ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବାର ସୂଚନା ଶ୍ରମ ବିଭାଗ ପାଖରେ ନାହିଁ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ