ଆରଏସ୍ଏସ୍ ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଆରମ୍ଭ

Sep 21, 2025 - 19:12
 0  24
ଆରଏସ୍ଏସ୍ ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଆରମ୍ଭ

ବ୍ରହ୍ମପୁର, ୨୧/୯/୨୦୨୫: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍)ର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଚଳିତ ବର୍ଷ ସେପ୍ଟେମ୍ବର ୨୫ ତାରିଖରୁ ଆରମ୍ଭ ହୋଇ ୨୦୨୬ ମସିହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ସଂଘ ଏ ମଧ୍ୟରେ ତାର ପ୍ରତିଷ୍ଠାର ୧୦୦ ବର୍ଷ ପୂରଣ କରିଛି। ୧୯୨୫ ମସିହା ବିଜୟା ଦଶମୀ ତିଥିରେ ମହାରାଷ୍ଟ୍ର ନାଗପୁର ଠାରେ ପରମ ପୂଜନୀୟ ସ୍ବର୍ଗତ ଡ. କେଶବ ବଳିରାମ ହେଡଗଓ୍ବାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଏହି ସଙ୍ଗଠନ। ଏବେ ଏହା ବିଶ୍ଵର ସର୍ବବୃହତ ସ୍ବେଚ୍ଛାସେବୀ ସଙ୍ଗଠନ ଭାବେ ସ୍ଵୀକୃତ। ବର୍ତ୍ତମାନ ଷଷ୍ଠ ସରସଂଘଚାଳକ ପରମ ପୂଜନୀୟ ମୋହନ ଭାଗବତଜୀଙ୍କ ନେତୃତ୍ୱରେ ବିଶ୍ବର ବିଭିନ୍ନ ଦେଶରେ ଏହାର ଶାଖା ପରିଚାଳିତ ହେଉଛି। ଆରଏସଏସ ତାହାର ଶତାବ୍ଦୀ ବର୍ଷ ଅବସରରେ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଆୟୋଜନ କରୁଛି। ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ, ବିଶ୍ବ କଲ୍ୟାଣ ପାଇଁ ଭାରତର ମହାଜାଗରଣ ଏହାର ଉଦ୍ଦେଶ୍ୟ। ସଂଘ କାର୍ଯ୍ୟ ବିସ୍ତାର, ସମାଜର ପ୍ରବୋଧନ, ସଜ୍ଜନ ଶକ୍ତିର ଜାଗରଣ ଓ ସାମାଜିକ ନେତୃତ୍ୱର ବିକାଶ ଲକ୍ଷ୍ୟ ରହିଛି। ଆସନ୍ତା ୨୫ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ବିଜୟା ଦଶମୀ ଉତ୍ସବ, ଅକ୍ଟୋବର ୧୫ରୁ ନଭେମ୍ବର ୧୫ ମଧ୍ୟରେ ଯୁବ ସମାବେଶ, ଡିସେମ୍ବର ମାସରେ ଘରକୁ ଘର ସମ୍ପର୍କ, ୨୦୨୬ ଜାନୁଆରୀରେ ହିନ୍ଦୁ ସମ୍ମିଳନୀ, ଫେବ୍ରୁଆରୀରେ ସାମାଜିକ ସଦଭାବ ବୈଠକ, ଏପ୍ରିଲରେ ପ୍ରମୁଖ ନାଗରିକ ଗୋଷ୍ଠୀ ବୈଠକ ଏବଂ ପୁଣି ୨୦୨୬ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅଧିକତମ ସ୍ଥାନରେ ସବୁ ଆୟ ବର୍ଗର ଶାଖା ଆୟୋଜନ କରାଯିବ। ରବିବାର ପୂର୍ବାହ୍ଣରେ ଉତ୍କଳ ଆଶ୍ରମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରଏସଏସ ଓଡ଼ିଶା (ପୂର୍ବ) ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ ପଣ୍ଡା ଏ ବାବଦରେ ବିସ୍ତୃତ ସୂଚନା ଦେଇଥିଲେ। ଆରଏସଏସ ଗଞ୍ଜାମ ବିଭାଗ ସଂଘଚାଳକ ଡ. ଭଗବାନ ତ୍ରିପାଠୀ (ଅବସରପ୍ରାପ୍ତ ଅଧ୍ୟକ୍ଷ, ଆସିକା ବିଜ୍ଞାନ ମହାବିଦ୍ୟାଳୟ), ଗଞ୍ଜାମ ଜିଲ୍ଲା ସଂଘଚାଳକ ଡା. ପ୍ରଶାନ୍ତ ପତି (ଅବସରପ୍ରାପ୍ତ ଅଧ୍ୟକ୍ଷ, ହୋମିଓପାଥି ମେଡିକାଲ କଲେଜ) ଉପସ୍ଥିତ ଥିଲେ। ମାଧବ ନାୟକ ଅତିଥି ପରିଚୟ କରିଥିବା ବେଳେ ପ୍ରହଲ୍ଲାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ