ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପୁରୀ ଗଲେ ୨୩୨ ବରିଷ୍ଠ ନାଗରିକ ତୀର୍ଥଯାତ୍ରା

Mar 12, 2026 - 22:31
 0  2
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା   ପୁରୀ ଗଲେ ୨୩୨ ବରିଷ୍ଠ ନାଗରିକ ତୀର୍ଥଯାତ୍ରା

ବାରିପଦା, ୧୧ ମାର୍ଚ୍ଚ ୨୦୨୬: ରାଜ୍ୟ ସରକାରଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ଆଜି ମୟୂରଭଞ୍ଜ ଜିଲ୍ଲାରୁ ୨୩୨ ଜଣ ବରିଷ୍ଠ ନାଗରିକ ପୁରୀ ଅଭିମୁଖେ ତୀର୍ଥଯାତ୍ରା କରିଛନ୍ତି। ଶହୀଦ ସ୍ମୃତି ଭବନ ନିକଟରୁ ଓଏସ୍‌ଆର୍‌ଟିସିର ୭ଟି ଅତ୍ୟାଧୁନିକ ବିଳାସପୂର୍ଣ୍ଣ ବସ୍ ଯୋଗେ ତୀର୍ଥଯାତ୍ରୀମାନେ ପୁରୀ ଯାଇଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ସରକାରଙ୍କ ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କ ଜଗନ୍ନାଥ ଦର୍ଶନର ଅଧୁରା ସ୍ୱପ୍ନ ସାକାର ହେଉଛି ଏବଂ ଏହି ଆଧ୍ୟାତ୍ମିକ ଅନୁଭୂତି ତାଙ୍କ ଜୀବନକୁ ସାର୍ଥକ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମତବ୍ୟକ୍ତ କରିଛନ୍ତି। ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶୁଭାଶିଷ ନାୟକ ଉପସ୍ଥିତ ରହି ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୁଖମୟ ଓ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି । ତୀର୍ଥଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସହାୟକ ଅଧିକାରୀ ଭାବେ ଦେବବ୍ରତ ମିଶ୍ର, ତନ୍ମୟ ଦାସ, ରୁଦ୍ର କିଶୋର ସ୍ୱାଇଁ, ବିନୟ କୁମାର ସି, ଏମ୍. ମହେନ୍ଦ୍ର ସୋରେନ ଓ କାରୁ ମାରାଣ୍ଡି ପ୍ରମୁଖ ଯାତ୍ରାରେ ସାମିଲ ହୋଇଛନ୍ତି । ଯାତ୍ରା ପୂର୍ବରୁ ବାରିପଦା ଷ୍ଟାଡିୟମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଯାତ୍ରା ପାଇଁ ଫିଟ୍ ଘୋଷଣା କରିଥିଲେ । ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ହିମାଂଶୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ