ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ ପ୍ରତିଯୋଗିତାରେ ମୟୂରଭଞ୍ଜର ଅଦ୍ଭୂତପୂର୍ବ ସଫଳତା
ବାରିପଦା ତା 13/10(ଫାଷ୍ଟ୍ ନ୍ୟୁଜ୍) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ଵରସ୍ଥିତ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ- ୨୦୨୬ କାର୍ଯ୍ୟକ୍ରମରେ ତିନୋଟି ବର୍ଗରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିବା ବେଳେ ଅନନ୍ୟ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ ପୂର୍ବକ ମୟୁରଭଞ୍ଜ ଜିଲ୍ଲାର ପ୍ରତିଭାବାନ ଚାରିଜଣ ଛାତ୍ରଛାତ୍ରୀ ଅଦ୍ଭୂତପୂର୍ବ ସଫଳତା ହାସଲ କରି ଜିଲ୍ଲାପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବର୍ଗରେ ବାରିପଦା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଆଶିଷ କୁମାର ବେହେରା ପ୍ରଥମ ସ୍ଥାନ, ଉଚ୍ଚ ପ୍ରାଥମିକ ବର୍ଗରେ ପୂର୍ଣ୍ଣଚନ୍ଦ୍ରପୁର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାରିପଦାର ଛାତ୍ର ଦେବାଶିଷ ଗିରି ପ୍ରଥମ ସ୍ଥାନ ଏବଂ ପ୍ରାଥମିକ ବର୍ଗରେ ବହଳଦା ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳିର ଛାତ୍ରୀ ମନିତା ମୁର୍ମୁ ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ ବକ୍ତୃତା ପ୍ରତିଯୋଗିତାର ପ୍ରାଥମିକ ବର୍ଗରେ ଯଶିପୁର ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ, ହାତିମୁଣ୍ଡିର ଛାତ୍ରୀ ଆଭା ଆରାଧ୍ୟା ସେଠୀ ଦ୍ଵିତୀୟ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ ଏକାମ୍ର ଭୁବନେଶ୍ଵରର ମାନନୀୟ ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ-ତଥା-ସଚିବ ଡାଃ. ଏନ. ତିରୁମାଲା ନାଏକ, ରାଜ୍ୟ ପ୍ରାଥମିକ ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ସଙ୍ଗୀତା ବେହେରା ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ । ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟ।ଳୟର ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଜିଲ୍ଲା ଶିକ୍ଷାଧିକାରୀ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ମନୋନୀତ କୃତୀ ଛାତ୍ରଛାତ୍ରୀ ମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରାଜ୍ୟସ୍ତରରେ ପିଲାମାନଙ୍କର ଏହି ଅଦ୍ଭୂତପୂର୍ବ ସଫଳତା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ- ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶଶୀଧର ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୌତମ ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବିନୋଦ ସିଂ ଏବଂ ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ସେହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0