ମାଲକାନଗିରିରେ ଶିକ୍ଷାର ନୂତନ ଅଧ୍ୟାୟ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ

Mar 23, 2026 - 16:56
 0  10
ମାଲକାନଗିରିରେ ଶିକ୍ଷାର ନୂତନ ଅଧ୍ୟାୟ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ

ମାଲକାନଗିରି, ୨୩/୩/୨୬: ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ମୁଣ୍ଡାଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ନୂତନ ଶିକ୍ଷାବର୍ଷ ପାଇଁ ନାମ ଲେଖାଇବାକୁ ଆସିଥିବା କୁନି କୁନି ପିଲାମାନଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ସ୍ୱାଗତ କରିଥିଲେ। ଅଧିକାରୀମାନଙ୍କ ଏହି ଆତ୍ମୀୟତା ପିଲାମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା।ରାଜ୍ୟବ୍ୟାପୀ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ଏବଂ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିଭାବକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ଜିଲ୍ଲାପାଳ ନିଜେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସେ ସୂଚନା ପ୍ରଦାନ କରି କହିଥିଲେ ଯେ, ଆସନ୍ତା ଏପ୍ରିଲ ୨ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ନାମଲେଖା ଦିବସ ମହାସମାରୋହରେ ପାଳନ କରାଯିବ।ନୂତନ ଶିକ୍ଷାର୍ଥୀମାନଙ୍କୁ ପାରମ୍ପରିକ ରୀତିରେ ଚନ୍ଦନ ଓ ଫୁଲ ଦେଇ ସ୍ୱାଗତ କରାଯିବ। ବିଦ୍ୟାଳୟ ପରିଚାଳନା କମିଟି, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଅଧିବାସୀମାନଙ୍କୁ ସାମିଲ କରାଯିବ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ି ସମସ୍ତଙ୍କୁ ଶୁଣାଇବେ। ଏହି କାର୍ଯ୍ୟକ୍ରମ ଜରିଆରେ ମାଲକାନଗିରି ଜିଲ୍ଲାରେ ଶତ ପ୍ରତିଶତ ନାମଲେଖା ସୁନିଶ୍ଚିତ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଜୋସ୍ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ