।। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଆରମ୍ଭ ।।

Apr 4, 2023 - 16:49
 0  26
।। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଆରମ୍ଭ ।।

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ ଆଜିଠାରୁ ଗୋପାଳଗଡ଼ସ୍ଥିତ ମା’ଙ୍କ ପୀଠରେ ଆରମ୍ଭ ହୋଇଛି। ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିବାକୁ ଏହି ମେଳା ଯୋଗୁଁ ସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ମା’ଙ୍କ ମନ୍ଦିରଠାରୁ ମାତ୍ର କିଛି ମିଟର ଦୂରରେ ଉଭାସ୍ଥଳ ହୋଇଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଆଜି ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଉଭାସ୍ଥଳ ନିକଟରେ ଭୋଗ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ସମ୍ପୂର୍ଣ୍ଣ ଭାବେ ପଲିଥିନ୍ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଭାସ୍ଥଳ ନିକଟରେ ବିକ୍ରି କରୁଥିବା ଭୋଗ ଦୋକାନ ଅନ୍ନ ଓ ଜଳଛତ୍ର ଦେଉଥିବା ସଂଗଠନଗୁଡ଼ିକୁ ମଧ୍ୟ ପଲିଥିନ୍ ବ୍ୟବହାର ନକରିବାକୁ ସଚେତନ କରାଯାଇଛି । ଜନସାଧାରଣଙ୍କ ଭିଡ଼କୁ ଦେଖି ତିନିଟି ପାର୍କିଂ ସ୍ଥଳ କରାଯାଇଛି। ଅନୁଗୁଳ ପାର୍ଶ୍ବରୁ ଆସୁଥିବା ଗାଡ଼ି ପାଇଁ କରଡ଼େଇ ମନ୍ଦିର ନିକଟ ପଡ଼ିଆ ଏବଂ ତାଳଚେର ପଟୁ ଆସୁଥିବା ଗାଡ଼ି ପାଇଁ ଥାନା ଛକ ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। କଣିହାଁ ଓ ଛେଣ୍ଡିପଦା ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକ ପାଇଁ ଗଜରାଜ ସିଂହ ଖେଳପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ମୁଣ୍ଡନ ପାଇଁ କୁଟେଇଶୁଣୀ ମନ୍ଦିର ପାଖରେ ଥିବା ପଡ଼ିଆରେ ବ୍ୟବସ୍ଥା କରାଯାଇଛି। ୯ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଲୋକ ମହୋତ୍ସବ ନିମନ୍ତେ ମନ୍ଦିର ପଛ ପାଖରେ ସୁସଜ୍ଜିତ ମଣ୍ଡପ ନିର୍ମାଣ କରାଯାଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ କଳାକାରଙ୍କ ସହିତ ଆଞ୍ଚଳିକ କଳାକାରଙ୍କୁ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରାଇବାର ବ୍ୟବସ୍ଥା ରହିଛି ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦେଇଛନ୍ତି ଅସାମାଜିକ ତତ୍ତ୍ବଙ୍କ ଉପରେ ନଜର ରଖିବାକୁ ମନ୍ଦିର ସହିତ ଉଭାସ୍ଥଳ ଏବଂ ଭିଡ଼ ସ୍ଥାନରେ କ୍ୟାମେରା ଲଗାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ୧୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ୧୩୦ ଜଣ କନେଷ୍ଟବଳ, ୧୧୦ ଜଣ ହୋମଗାର୍ଡ, ଜଣେ ଉପଖଣ୍ଡ ଅଧିକାରୀ, ୩ ଜଣ ଡିଏସ୍ପି, ଇନ୍ସପେକ୍ଟର ୧୭ ଜଣ, ସବ୍ ଇନ୍ସପେକ୍ଟର ୩୦ ଜଣ ଓ ଏଏସ୍ଆଇ ୩୫ ଜଣ ଦାୟିତ୍ବରେ ରହିବା ସହିତଳ ଏମ୍ସିଏଲ୍ର ଶତାଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଏଥି ସହିତ ବର୍ତ୍ତମାନ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର କଟକଣା ସହିତ ଶୂନ୍ୟ ମୃତାହତ ପାଇଁ ବିଭନ୍ନ ଛକରେ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଯାତ୍ରାରେ ପଲିଶ୍ରୀ ମେଳା, ମୀନାବଜାର, ଜଳଖିଆ ଦୋକାନ, ମନୋହରୀ ଦୋକାନ, ସହ ବିଭିନ୍ନ ଉଠା ଦୋକାନୀଙ୍କ ପାଇଁ ସ୍ବତନ୍ତ୍ର ଟେଣ୍ଟ୍ ବ୍ୟବସ୍ଥା କରାଯାଇଛି। ମା’ ହିଙ୍ଗୁଳା ପୀଠକୁ ତାଳଚେର, ଅନୁଗୁଳ, କଣିହାଁ, ଛେଣ୍ଡିପଦା, ଗୋଡ଼ିବନ୍ଧ ଓ ନତଡ଼ା ପାଖରୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଜଳଛତ୍ର ସହିତ ତରଭୁଜ, ଆଇସ୍କ୍ରିମ୍, ଦହି ସର୍ବତ, ବେଲ ସର୍ବତ, ଆଖୁ ରସ ଏବଂ ଅନ୍ନ ପ୍ରସାଦ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ବିତରଣ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତାଳଚେର ଉପଜିଲ୍ଲାପାଳ ତଥା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ବରଂଜନ ରଥଙ୍କ ତତ୍ତ୍ବାଧାନରେ ଯାତ୍ରାର ପ୍ରସ୍ତୁତି ଶେଷ ହୋଇଛି। ଟ୍ରଷ୍ଟର ସଦସ୍ୟ ଗଗନ ବିହାରୀ ସାହୁ ସମସ୍ତ ଦୋକାନ ବଜାରର ପରିଚାଳନା କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ