ଜିଲ୍ଲା ଆପାତକାଳୀନ ବୈଠକ
*ଝାରସୁଗୁଡ଼ା, ୧୩/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା):* ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ସଭାପତିତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିଅମଠାରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିପଜ୍ଜନକ କାରଖାନାଗୁଡ଼ିକର ସୁରକ୍ଷା, ଆପାତକାଳୀନ ଆଗୁଆ ପ୍ରସ୍ତୁତି ଏବଂ ବିପଦ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, କାରଖାନା ଓ ବଏଲର ବିଭାଗର ଉପ-ନିର୍ଦ୍ଦେଶକ (ସମ୍ବଲପୁର ଡିଭିଜନ୍) ଏଞ୍ଜିନିୟର ସ୍ବରୂପ ଜେନା, ସହକାରୀ ନିର୍ଦ୍ଦେଶକ ଏଞ୍ଜିନିୟର ଅର୍ଚ୍ଚନା ଦାଶ, ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ସବର, ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହଙ୍କ ସମେତ ଜିଲ୍ଲାର ପ୍ରମୁଖ ଶିଳ୍ପସଂସ୍ଥାର ପ୍ରତିନିଧି ଏବଂ ଜିଲ୍ଲା କ୍ରାଇସିସ୍ ଗ୍ରୁପ୍ର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।ବୈଠକର ପ୍ରାରମ୍ଭରେ କାରଖାନା ଓ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ଏଞ୍ଜିନିୟର ଅର୍ଚ୍ଚନା ଦାଶ ଜିଲ୍ଲାପାଳ, ନିମନ୍ତ୍ରିତ ଅଧିକାରୀ ଓ ସଦସ୍ୟମାନଙ୍କୁ ସ୍ବାଗତ କରିବା ସହ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଜିଲ୍ଲାରେ ବିପଜ୍ଜନକ ସ୍ଥିତିର ମୁକାବିଲା ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ଏହାପରେ କାରଖାନା ଓ ବଏଲର ବିଭାଗର ଉପ-ନିର୍ଦ୍ଦେଶକ ଏଞ୍ଜିନିୟର ସ୍ବରୂପ ଜେନା ଉପସ୍ଥିତ ସଦସ୍ୟମାନଙ୍କୁ ସମ୍ବୋଧିତ କରି ସୁରକ୍ଷା ନିୟମାବଳୀର କଠୋର ଅନୁପାଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି ଆଲୋଚନାରେ GAIL India Ltd. ଆଇ.ଓ.ସି.ଏଲ୍. ପାଇପଲାଇନ୍ ଡିଭିଜନ୍, IOCL LPG Bottling Plant, ବେଦାନ୍ତ ଆଲୁମିନିୟମ୍ ଲିମିଟେଡ୍, ଇବ୍ ଥର୍ମାଲ ପାୱାର ଷ୍ଟେସନ୍ ଏବଂ ଆଇ.ଓ.ସି.ଏଲ୍. ଝାରସୁଗୁଡ଼ା ଟର୍ମିନାଲ୍ର ପ୍ରତିନିଧିମାନେ ସେମାନଙ୍କ ସଂସ୍ଥା ଦ୍ବାରା ଗ୍ରହଣ କରାଯାଇଥିବା ଆପାତକାଳୀନ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା ଓ 'ଅଫ୍-ସାଇଟ୍/ଅନ୍-ସାଇଟ୍' ଜରୁରୀକାଳୀନ ଯୋଜନା ସମ୍ପର୍କରେ ତଥ୍ୟ ସହ ଉପସ୍ଥାପନା ପ୍ରଦାନ କରିଥିଲେ। ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ ଶ୍ରୀ ଚହ୍ବାଣ କହିଥିଲେ ଯେ, କୌଣସି ବି ଶିଳ୍ପାଞ୍ଚଳରେ ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇବା ପାଇଁ ପୂର୍ବପ୍ରସ୍ତୁତି ଏବଂ ନିୟମିତ ସୁରକ୍ଷା ଯାଞ୍ଚ ଅତ୍ୟନ୍ତ ଜରୁରୀ। ସେ ସମସ୍ତ ଶିଳ୍ପସଂସ୍ଥାକୁ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବା ପାଇଁ ସଦାସର୍ବଦା ସଜାଗ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଜନବସତି ପୂର୍ଣ୍ଣ ଅଞ୍ଚଳରେ ଚାଲିଥିବା ଆମୋନିଆ ଗ୍ୟାସ୍ ପରିଚାଳନା ସଂକ୍ରାନ୍ତୀୟ ୟୁନିଟ୍ଗୁଡ଼ିକର ନିରାପତ୍ତାକୁ ନେଇ କମିଟି ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ସେଗୁଡ଼ିକର ବିଶେଷ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ, ଜିଲ୍ଲା କ୍ରାଇସିସ୍ ଗ୍ରୁପର ଏହିପରି ଆପାତକାଳୀନ ବୈଠକ ନିୟମିତ ଭାବେ ଆୟୋଜନ କରିବା ଏବଂ ଜିଲ୍ଲାର ଶିଳ୍ପ ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0