କାଗଜପତ୍ରରେ ସ୍ୱଚ୍ଛ ଭାରତ, ବାସ୍ତବରେ ତାଲା: ଜୁନାଗଡ଼ ରେଳ ଷ୍ଟେସନରେ ଯାତ୍ରୀଙ୍କୁ ସେବା ବଦଳରେ ମିଳୁଛି ମାନସିକ ନିର୍ଯାତନା

May 26, 2026 - 18:17
 0  16
କାଗଜପତ୍ରରେ ସ୍ୱଚ୍ଛ ଭାରତ, ବାସ୍ତବରେ ତାଲା: ଜୁନାଗଡ଼ ରେଳ ଷ୍ଟେସନରେ ଯାତ୍ରୀଙ୍କୁ ସେବା ବଦଳରେ ମିଳୁଛି ମାନସିକ ନିର୍ଯାତନା

କଲାହାଣ୍ଡି:୨୬/୦୫/୨୬ (ଫାଷ୍ଟ ନ୍ୟୁଜ ଓଡିଶା);ଦେଶକୁ ‘ବିଶ୍ୱଗୁରୁ’ କରିବାର ନାରା ଏବଂ ରାଜ୍ୟରେ ‘ଡବଲ ଇଞ୍ଜିନ’ ସରକାରଙ୍କ ବିକାଶର ଡେଙ୍ଗୁରା ଭିତରେ କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଜୁନାଗଡ଼ ରୋଡ଼ ରେଳ ଷ୍ଟେସନରୁ ଏକ ଅଭାବନୀୟ ତଥା ଲଜ୍ଜାଜନକ ଚିତ୍ର ସାମ୍ନାକୁ ଆସିଛି। ଷ୍ଟେସନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ ତ ହୋଇଛି, ହେଲେ ସେଥିରେ ଝୁଲୁଛି ବଡ଼ ବଡ଼ ତାଲା। ଅନ୍ୟପଟେ ଯେଉଁ କେତୋଟି ଶୌଚାଳୟ ଖୋଲା ଅଛି, ତାହା ଚରମ ଅବ୍ୟବସ୍ଥା ଏବଂ ଅପରିଷ୍କାରର ପେଣ୍ଠସ୍ଥଳୀ ପାଲଟିଛି। ଯାହାକୁ ନେଇ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତିନୋଟି ପ୍ରମୁଖ ସହରକୁ ସଂଯୋଗ, ହେଲେ ସେବା ଶୂନ। ଜୁନାଗଡ଼ ରୋଡ଼ ରେଳ ଷ୍ଟେସନରୁ ପ୍ରତିଦିନ ରାଜଧାନୀ ଭୁବନେଶ୍ୱର, ସମ୍ବଲପୁର ଏବଂ ପଡ଼ୋଶୀ ରାଜ୍ୟର ରାୟପୁର ଭଳି ପ୍ରମୁଖ ସହରକୁ ଶତାଧିକ ଯାତ୍ରୀ ଯାତାୟତ କରନ୍ତି। ମହିଳା, ଶିଶୁ ଏବଂ ବୃଦ୍ଧବୃଦ୍ଧାମାନେ ଟ୍ରେନ୍‌ ଧରିବା ପାଇଁ ଘଣ୍ଟା ଘଣ୍ଟା ପୂର୍ବରୁ ଆସି ଷ୍ଟେସନରେ ଅପେକ୍ଷା କରନ୍ତି। ମାତ୍ର ସାଧାରଣ ମୌଳିକ ସୁବିଧା କହିଲେ ଯାହା ବୁଝାଏ, ସେହି ଶୌଚାଳୟ ବ୍ୟବହାର କରିବାରୁ ଯାତ୍ରୀମାନେ ବଞ୍ଚିତ ହେଉଛନ୍ତି। ରେଳବାଇ ବିଭାଗ କାହା ସ୍ୱାର୍ଥରେ ଏହି ଶୌଚାଳୟ ନିର୍ମାଣ କରିଛି? ଯଦି ଜନସାଧାରଣ ଏହାକୁ ବ୍ୟବହାର କରିପାରିବେ ନାହିଁ, ତେବେ କେବଳ ସରକାରୀ ଅନୁଦାନ ହରିଲୁଟ୍‌ କରିବା ପାଇଁ ଏହି ପ୍ରହସନ କରାଯାଇଛି କି? ଲକ୍ଷ ଲକ୍ଷ ଟଙ୍କାର ଶୌଚାଳୟ କେବଳ ସରକାରୀ ଫାଇଲ୍‌ରେ ‘ସଫଳ ପ୍ରକଳ୍ପ’ ଦେଖାଇବା ପାଇଁ ତିଆରି ହୋଇଛି କି? ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ସମ୍ମାନ କାହିଁ? ସ୍ୱଚ୍ଛ ଭାରତର ଡେଙ୍ଗୁରା ପିଟୁଥିବା ପ୍ରଶାସନ ଷ୍ଟେସନରେ ମହିଳାମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ସୁଧାରିବାରେ ସମ୍ପୂର୍ଣ୍ଣ ବିଫଳ। ଶୌଚାଳୟ ସଫା ସୁତୁରା ଏବଂ ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ପାଣ୍ଠି ଯାଉଛି କୁଆଡ଼େ? ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର ଶାସନ ଗାଦିରେ ଥିବା ବେଳେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ବିଶ୍ୱଗୁରୁ’ ବୋଲି ପ୍ରଚାର କରାଯାଉଛି। କିନ୍ତୁ ଭୂମିସ୍ତରର ସତ୍ୟତା ସମ୍ପୂର୍ଣ୍ଣ ଓଲଟା। ଜୁନାଗଡ଼ ଷ୍ଟେସନର ଏହି ଦୟନୀୟ ସ୍ଥିତି ଶାସନ ବ୍ୟବସ୍ଥା ଏବଂ ଭ୍ରଷ୍ଟାଚାରର ପୋଲ୍‌ ଖୋଲି ଦେଇଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଜି ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଯାତ୍ରୀ ମହଲରେ ଦାବି ହୋଇଛି ଯେ, ତୁରନ୍ତ ଏହି ଅବ୍ୟବସ୍ଥାର ସୁଧାର କରାଯାଉ ଏବଂ ବ୍ୟବହାର ନହେଉଥିବା ଶୌଚାଳୟର ତାଲା ଖୋଲାଯାଇ ଯାତ୍ରୀଙ୍କ ସେବାରେ ଲଗାଯାଉ। ନଚେତ୍‌ ଆଗାମୀ ଦିନରେ ରେଳ ପ୍ରଶାସନ ବିରୋଧରେ ବଡ଼ ଧରଣର ଆନ୍ଦୋଳନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ