ଆନ୍ତର୍ଜାତୀୟ ରଗବୀ ଖେଳାଳିଙ୍କୁ ଓ ବାଲୁକା ଶିଳ୍ପୀ ଙ୍କୁ ଜିଲ୍ଲା ପ୍ରସାସନ ପକ୍ଷରୁ ସମ୍ବର୍ଦ୍ଧନା
ବାରିପଦା, ଗୌର ଦାସଗିରି(୨୬/୦୫): ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ପକ୍ଷରୁ ଜିଲ୍ଲାର କୃତୀ ବାଲୁକାଶିଳ୍ପୀ ଶ୍ରୀ ଦଶରଥ ମହାନ୍ତ ଏବଂ ଆନ୍ତର୍ଜାତୀୟ ମହିଳା ରଗବୀ ଖେଳାଳି ପାର୍ବତୀ ହାଁସଦା ଓ ଆରତୀ ମୁର୍ମୁଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଏକ ସମ୍ବର୍ଦ୍ଧନା ସଭାରେ ସମ୍ମାନିତ କରାଯାଇଥିଲା । ଜିଲ୍ଲାର କଳା ଓ କ୍ରୀଡା କ୍ଷେତ୍ରରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଭାମାନଙ୍କୁ ଉତ୍ତରୀୟ ଓ ବୃକ୍ଷଚାରା ପ୍ରଦାନ କରି ସମ୍ମାନିତ କରିଥିଲେ । ସେ ନିଜ ଅଭିଭାଷଣରେ କହିଥିଲେ ଯେ, ମୟୂରଭଞ୍ଜର ପ୍ରତିଭାମାନେ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣୁଛନ୍ତି । ସେମାନଙ୍କ ସଫଳତା ଜିଲ୍ଲାର ଯୁବପିଢୀଙ୍କୁ କ୍ରୀଡା ଓ ସୃଜନଶୀଳ କ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ । ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ଶ୍ରୀ ଦଶରଥ ମହାନ୍ତଙ୍କୁ ମୟୂରଭଞ୍ଜର ଐତିହାସିକ ଚୈତ୍ର ପର୍ବ ଅବସରରେ ପ୍ରସ୍ତୁତ କରିଥିବା ବିଶାଳ ବାଲୁକା କଳା ଏସିଆ ବୁକ୍ ଅଫ ରେକର୍ଡସ୍ ରେ ସ୍ଥାନ ପାଇ ଜିଲ୍ଲାକୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ, ପ୍ରାୟ ଆଠ ଲକ୍ଷ କିଲୋ ବାଲି ବ୍ୟବହାର କରି ୫୦ ଫୁଟ୍ ଓସାର ଓ ୨୦ ଫୁଟ୍ ଉଚ୍ଚତାର ଏହି ଆକର୍ଷଣୀୟ ବାଲୁକା ଶିଳ୍ପ କରି ମୟୁରଭଞ୍ଜର ଲୋକକଳା, ପରମ୍ପରା ଓ ସାଂସ୍କୃତିକ ଇତିହାସକୁ ସୁନ୍ଦର ଭାବରେ ସ୍ଥାନିତ କରିଥିଲେ । ସେହିପରି ଭାରତୀୟ ମହିଳା ରଗବୀ ଦଳର ଅଧିନାୟିକ ପାର୍ବତୀ ହାଁସଦା ଏବଂ ଆନ୍ତର୍ଜାତୀୟ ରଗବୀ ଖେଳାଳି ଆରତୀ ମୁର୍ମୁଙ୍କୁ ଆନ୍ତର୍ଜାତୀୟ ମହିଳା ରଗବୀ ପ୍ରତିଯୋଗିତାରେ ଭାରତୀୟ ଦଳ ପକ୍ଷରୁ ସଫଳ ପ୍ରତିନିଧିତ୍ୱ କରି ଦେଶ, ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା ଓ ଜିଲ୍ଲା କ୍ରୀଡା ଅଧିକାରୀ ତଥା ସଂସ୍କୃତି ଅଧିକାରୀ ଡଃ ଶୁଭାଶିଷ ନାୟକ ଉପସ୍ଥିତ ଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0