।। ସ୍ୱାମୀଙ୍କ ସାମ୍ବାଦିକତା ପତ୍ନୀଙ୍କୁ ସଜ୍ଜା; ମରିବାକୁ ଅନୁମତି ମାଗିଲେ ଦିବ୍ୟାଙ୍ଗ ଦମ୍ପତି ।।

Apr 10, 2023 - 21:32
Apr 10, 2023 - 21:46
 0  104
।। ସ୍ୱାମୀଙ୍କ ସାମ୍ବାଦିକତା ପତ୍ନୀଙ୍କୁ ସଜ୍ଜା; ମରିବାକୁ ଅନୁମତି ମାଗିଲେ ଦିବ୍ୟାଙ୍ଗ ଦମ୍ପତି ।।

ଇଚ୍ଛା ମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ପଠାଇଛନ୍ତି କନ୍ଧମାଳ ଜିଲ୍ଲାର ଦିବ୍ୟାଙ୍ଗ ଦମ୍ପତି । ତାଙ୍କ ନାମ ହେଉଛି ଦୀପକ କୁମାର ହଁସ ଏବଂ ତାଙ୍କ ପତ୍ନୀଙ୍କ ନାମ ବିଦ୍ୟୁତଲତା ନାୟକ । ଦମ୍ପତିଙ୍କ ଘର ହେଉଛି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଆରାବାକା ଗ୍ରାମରେ ।ଇଚ୍ଛାମୃତ୍ୟୁ ପାଇଁ ସେ ମହାମହିମ ରାଷ୍ଟ୍ରପତିଙ୍କୁ ଦେଇଥିବା ଚିଠି ଅନୁସାରେ,ଦୀପକ ସାମ୍ବାଦିକତା ବୃତ୍ତିରେ ଅଛନ୍ତି ଏବଂ ଗୋଟିଏ ଦୈନିକ ଖବର କାଗଜରେ ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି । ଯାହା ପାଇଁ ତାଙ୍କର ଶତ୍ରୁମାନେ ପରୋକ୍ଷରେ ତାଙ୍କ ପତ୍ନୀ ଯିଏକି ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରନ୍ତି, ତାଙ୍କୁ ବିଗତ କିଛି ବର୍ଷ ଧରି ନାନା ହଇରାଣ ହରକତ କରୁଛନ୍ତି ।ନିଜ ପତ୍ନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରି କରି ଶେଷରେ ନିରାଶ ହୋଇଯାଇଛନ୍ତି । ଏପରି ସ୍ଥଳେ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ, ତେଣୁ ସେ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଥିବା କହିଛନ୍ତି ।ଦୀପକ ଏବଂ ତାଙ୍କ ଧର୍ମ ପତ୍ନୀ ବିଦ୍ୟୁତଲତାଙ୍କ କହିବା ଅନୁସାରେ,୨୦୧୩ ମସିହାରେ ବିଦ୍ୟୁତଲତା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ଉପ-ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ ନିଯୁକ୍ତି ପାଇଥିଲେ । ସେଠାରେ ସେ ୨୦୨୦ ମସିହା ପର୍ଯ୍ୟନ୍ତ କାମ କରୁଥିଲେ । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁନଥିଲା,ତେଣୁ ସେ ବହୁ ଚେଷ୍ଟା କରିବା ପରେ ତାଙ୍କୁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚକାପାଦ ବ୍ଲକ ଅନ୍ତର୍ଗତ ପସରା ସ୍ଥିତ ଉପ-ସ୍ୱାସ୍ଥ୍ୟ କେନ୍ଦ୍ରକୁ Deputationରେ ପଠାଯାଇଥିଲା ।ପସରାରେ ବିଦ୍ୟୁତଲତା ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବା ସହିତ ସେ ସଠିକ ଭାବେ ନିଜ କାର୍ଯ୍ୟ ତୁଲାଉଥିଲେ । କିନ୍ତୁ ଦୀପକଙ୍କ ସମ୍ବାଦିକତା ତାଙ୍କ ପାଇଁ କାଳ ହୋଇଯାଇଥିଲା । କିଛି ପ୍ରଭାବଶାଳୀ ଲୋକ ଦୀପକ ଏବଂ ତାଙ୍କ ପତ୍ନୀଙ୍କୁ ହଇରାଣ ହରକତ କରିବା ସହିତ ତାଙ୍କ ପତ୍ନୀଙ୍କ Deputation କୁ ବାତିଲ କରିବା ପାଇଁ ସକ୍ଷମ ହୋଇଥିଲେ ।ବିଦ୍ୟୁତଲତାଙ୍କ Deputation ଗତବର୍ଷ ଅକ୍ଟୋବର ମାସରେ ବାତିଲ ହେବା ସହିତ ତାଙ୍କୁ ପୁନଃ ଦାରିଙ୍ଗବାଡି ସିଆଙ୍ଗବାଲି ଉପ-ସ୍ୱାସ୍ଥ୍ୟ କେନ୍ଦ୍ରରେ କାମରେ ଯୋଗ ଦେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚିଠି ମିଳିଥିଲା । କିନ୍ତୁ ବିଦ୍ୟୁତଲତାଙ୍କ ସ୍ଵାମୀ ଦୀପକ ଏବଂ ତାଙ୍କର ଗୋଟିଏ ମାତ୍ର କୁନି ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ବିଦ୍ୟୁତଲତା ନାୟକ କାର୍ଯ୍ୟରେ ଯୋଗ ଦେଇନଥିଲେ ।ଉଭୟ ଦମ୍ପତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ଗୋଟିଏ ମାତ୍ର ୯ ବର୍ଷର ପୁଅର ଲାଳନ ପାଳନ ପାଇଁ କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଦେଲେ । ତା’ପରେ ଚଳିତ ବର୍ଷ ଫେବ୍ରୁୟାରୀ ମାସରେ ବିଦ୍ୟୁତଲତା ନାୟକ ଦାରିଙ୍ଗବାଡି ମେଡ଼ିକାଲ ଅଫିସରଙ୍କ ପାଖରେ ପହଞ୍ଚି ଚାକିରୀରେ ଯୋଗ ଦେବାକୁ ଚାହିଁଥିଲେ । କିନ୍ତୁ ମେଡିକାଲ ଅଫିସର ତାଙ୍କୁ ଫିଟନେସ ସାର୍ଟିଫିକେଟ ଆଣିବା ପାଇଁ ଜିଲ୍ଲା ମେଡିକାଲ ବୋର୍ଡ଼କୁ ପଠାଇଥିଲେ । କିନ୍ତୁ ମେଡିକାଲ ବୋର୍ଡ଼ ତାଙ୍କୁ ଦୀର୍ଘ ୭ ମାସ ଧରି ବିଭିନ୍ନ ବାହାନା କରି ଫିଟନେସ ସାର୍ଟିଫିକେଟ ଦେଇନଥିଲେ ଏବଂ ତାଙ୍କୁ ଗତ ଜୁଲାଇ ମାସରେ କଟକ SCB ମେଡିକାଲର Mental Health Institute ରେ ଚିକିତ୍ସା ପାଇଁ ରେଫର୍‌ କରିଥିଲେ।ତା’ପରେ କଟକ SCB ମେଡ଼ିକାଲରେ ବିଦ୍ୟୁତଲତା ଚିକିତ୍ସିତ ହୋଇ ଫିଟନେସ ସାର୍ଟିଫିକେଟ ଧରି ଆସିଥିଲେ । କିନ୍ତୁ ସେହି ଫିଟନେସ ସାର୍ଟିଫିକେଟକୁ ମଧ୍ୟ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଗ୍ରହଣ ନକରିବା ସହିତ ତାକୁ ମିଥ୍ୟା ସାର୍ଟିଫିକେଟ ବୋଲି କହିଥିଲେ । ଏଭଳି ଭାବେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଦ୍ୟୁତଲତା ନାୟକଙ୍କୁ ହଇରାଣ କରିବା ସହିତ ଗତବର୍ଷ ଅକ୍ଟୋବର ମାସରୁ ତାଙ୍କ ଦରମା ବନ୍ଦ କରିଦେଇଛନ୍ତି । ଯାହା ଫଳରେ ଉଭୟ ଦମ୍ପତି ବହୁ ହଇରାଣ ହେବା ସହିତ ସେମାନଙ୍କ ପାଖରେ ଆଉ ଖାଇବା ପିଇବା ପାଇଁ ମଧ୍ୟ ଆଉ ଟଙ୍କା ନାହିଁ ବୋଲି କହିଛନ୍ତି ।ତେବେ ଏ ବାବଦରେ ଦୀପକ ଏବଂ ତାଙ୍କ ପତ୍ନୀ ବିଦ୍ୟୁତଲତା କନ୍ଧମାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ରାଜ୍ୟ ସରକାରଙ୍କୁ ମଧ୍ୟ ଚିଠି ପଠାଇ ଅଭିଯୋଗ କରିଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ,ପ୍ରଶାସନ ଏବଂ ସରକାରଙ୍କ ଠାରୁ କୌଣସି ସୁଫଳ କିମ୍ବା ନ୍ୟାୟ ନମିଳିବାରୁ ଶେଷରେ ସେ ନିରାଶ ହୋଇ ଇଚ୍ଛା ମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଥିବା କହିଛନ୍ତି । ତେବେ ଏ ବାବଦରେ କିଛି ମିଡ଼ିଆ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କଲ ରିସିଭ କରିନାହାନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ