ଝାରପୋଖରିଆ ଅଞ୍ଚଳରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ; ରାତିଅଧିଆ ଆତଙ୍କ ଓ ଜନଜୀବନ ଅସ୍ତବ୍ୟସ୍ତ
ଝାରପୋଖରୀଆ ଥାନା ଭୁରୁଷାଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗାଁ, ପୁରୁଣାପାଣି, ଜାମଶୋଳା ଏବଂ କୁଅଁରଡିହି ଆଦି ବିଭିନ୍ନ ଅଞ୍ଚଳରେ ବାଲି ମାଫିଆମାନଙ୍କ ବେଆଇନ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପଡ଼ୋଶୀ ରାଜ୍ୟ ଝାରଖଣ୍ଡ ଓ ପଶ୍ଚିମବଙ୍ଗର ବାଲି ମାଫିଆମାନେ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ହାତ ମିଳାଇ ଏହି ବେଆଇନ ଧନ୍ଦା ଚଳାଇଥିବା ଅଭିଯୋଗ ହୋଇଛି। ଝାରପୋଖରିଆ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରାତି ୧୧:୦୦ ପରେ ସମସ୍ତ ଦୋକାନ ବଜାର, ହୋଟେଲ ଏବଂ ଚା' ଦୋକାନଗୁଡ଼ିକ ବନ୍ଦ ରହୁଛି। ମାତ୍ର ବାଲି ମାଫିଆ ଏବଂ ସେମାନଙ୍କ ସହଯୋଗୀମାନେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ରାତି ଅଧରେ ଅଲଗା ବ୍ଲକ ଏବଂ ଭୁବନେଶ୍ବର,ବାଲେଶ୍ଵର ଆସୁଥିବା ଗୁଣ୍ଡାମାନେ ସ୍ଥାନୀୟ ଅଞ୍ଚଳରେ ବୁଲି ଦୋକାନୀମାନଙ୍କୁ ଭୟଭୀତ କରୁଛନ୍ତି ଏବଂ ଧମକଚମକ ଦେଉଛନ୍ତି। ଏହି ବେଆଇନ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ଲୋକେ, ଜରୁରୀକାଳୀନ କାମରେ ଯାତାୟାତ କରୁଥିବା ଯାତ୍ରୀ ଏବଂ ଛୋଟ ବ୍ୟବସାୟୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଗାଡ଼ିଗୁଡ଼ିକ ଦ୍ୱାରା ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଛି। ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକମାନେ ମୟୁରଭଞ୍ଜ ଏସପି ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବେଆଇନ ଭାବେ ବାଲି ଉତ୍ତୋଳନ ଓ ପରିବହନ କରୁଥିବା ଲୋକଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜବତ ହୋଇଥିବା ବାଲିକୁ ସରକାରୀ ପରିସରରେ ସୁରକ୍ଷିତ ରଖିବା ପାଇଁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0