ସି.ୟୁ.ଓ. ର ଆନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଅନେକ ସମ୍ଭାବନା ମଧ୍ୟରେ ସମାପ୍ତ
ସୁନାବେଡ଼ା ତାରିଖ: ୧୦.୦୭.୨୦୨୬ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) କୋରାପୁଟ ଅଞ୍ଚଳରେ କୃଷି ଗବେଷଣା କ୍ଷେତ୍ରରେ ଆଗାମୀ ଦିନରେ ଅନେକ ନୂତନ ସମ୍ଭାବନା ଓ ମାର୍ଗ ପ୍ରଶସ୍ତ କରିବା ସହ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (CUO) ର କୃଷି ବିଭାଗ ଏବଂ ICAR-IIMRS, ଭରତପୁର ଦ୍ୱାରା ଆୟୋଜିତ ପାଞ୍ଚ ଦିନିଆ ଆନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଆଜି ସଫଳତାର ସହ ସମାପ୍ତ ହୋଇଯାଇଛି। ଗତ ୬ ଜୁଲାଇ ୨୦୨୬ ରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ପ୍ରାୟ ୭୦୦ କୃଷକ ଅଂଶଗ୍ରହଣ କରିଥିଲେ। ଏହା ଦେଶ ଓ ବିଦେଶର ଗବେଷକ ଏବଂ ଚାଷୀମାନଙ୍କ ମଧ୍ୟରେ ଭାବ ବିନିମୟ ପାଇଁ ଏକ ଜୀବନ୍ତ ମାଧ୍ୟମ ସାଜିଥିଲା। ଉଦ୍ଯାପନୀ ସମାରୋହରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(CUO) ର କୁଳପତି ପ୍ରଫେସର ଏନ୍. ସି. ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏଥିରେ ଦାମନଯୋଡ଼ି ନାଲକୋ (NALCO) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ED) ଶ୍ରୀ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଏବଂ ସୁନାବେଡ଼ା NAD ର ଜେନେରାଲ ମ୍ୟାନେଜର (GM) ଶ୍ରୀ ମନମୋହନ ଗୋୟଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହିତ ମଞ୍ଚରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ କୁଳସଚିବ ଡକ୍ଟର ସଞ୍ଜୟ କୁମାର ପ୍ରଧାନ , ଅର୍ଥ ଅଧିକାରୀ ଡକ୍ଟର ଦୁର୍ଯ୍ୟୋଧନ ସେଠୀ , କାର୍ଯ୍ୟକ୍ରମର ଆବାହକ ତଥା କୃଷି ବିଭାଗର ମୁଖ୍ୟ ଡକ୍ଟର ମଞ୍ଜୁଶ୍ରୀ ସିଂହ । କୃଷି ବିଭାଗର ସହକାରୀ ପ୍ରଫେସର ଡକ୍ଟର ଲୋପାମୁଦ୍ରା ବେହେରାଙ୍କ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କୁଳସଚିବ ଡକ୍ଟର ପ୍ରଧାନ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି କର୍ମଶାଳାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅର୍ଥ ଅଧିକାରୀ ଶ୍ରୀ ସେଠୀ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍ମାନଙ୍କୁ ଆଗାମୀ ଦିନରେ ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଉତ୍ସାହିତ କରିଥିଲେ। ନାଲକୋର ଇ.ଡି. ଶ୍ରୀ ଅମରେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଏନ୍. ସି. ପଣ୍ଡାଙ୍କ ସଫଳ ନେତୃତ୍ୱରେ CUO ର ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରିଥିଲେ। ସେ ବିଶେଷ କରି ଆଭୋକାଡୋ (Avocado) ଚାଷ କ୍ଷେତ୍ରରେ ଗବେଷଣା ଓ ବିକାଶ ପାଇଁ ନାଲକୋର CSR ପାଣ୍ଠି ଜରିଆରେ CUO ଏବଂ NALCO ମଧ୍ୟରେ ମିଳିତ ସହଯୋଗର ହାତ ବଢ଼ାଇଥିଲେ। ସେହିପରି NAD ର ଜି.ଏମ୍. ଶ୍ରୀ ଗୋୟଲ ମଧ୍ୟ ବିଶ୍ୱବିଦ୍ୟାଳୟର ଉଦ୍ୟମକୁ ପ୍ରଶଂସା କରିବା ସହ ଚାଷୀଙ୍କ ବିକାଶ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କୁଳପତି ପ୍ରଫେସର ପଣ୍ଡା ନିଜ ଅଭିଭାଷଣରେ କହିଥିଲେ ଯେ CUO ଏବେ କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନ ରହି ସମାଜର ବିକାଶ ପାଇଁ କାର୍ଯ୍ୟ କରୁଛି। ଆଗାମୀ ଦିନରେ କୃଷି ବିଭାଗ ସିଧାସଳଖ ଚାଷୀମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବ। ଏହା ସହ ସେ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ବିଭାଗଗୁଡ଼ିକୁ ମଧ୍ୟ ଏଭଳି ସମାଜ-ଉପଯୋଗୀ କାର୍ଯ୍ୟକ୍ରମ କରିବାକୁ ଆହ୍ୱାନ ଦେଇଥିଲେ। ଡକ୍ଟର ମଞ୍ଜୁଶ୍ରୀ ସିଂହ ଏହି ୫ ଦିନିଆ କର୍ମଶାଳାର ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିବା ସହ ଏହାର ସଫଳ ପରିଣାମ ବିଷୟରେ ଚର୍ଚ୍ଚା କରିଥିଲେ। ସେ କୋରାପୁଟ ଅଞ୍ଚଳରେ ଆଳୁ ଚାଷ ଭଳି ନୂତନ ସମ୍ଭାବନାର ସନ୍ଧାନ ଏବଂ ଚାଷୀଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଏକ ଭବିଷ୍ୟତର ରୋଡମାପ୍ ଉପସ୍ଥାପନ କରିଥିଲେ। ଏହାପରେ କର୍ମଶାଳାର ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କୃଷି ବିଭାଗର ସହକାରୀ ପ୍ରଫେସର ଡକ୍ଟର ସୁମନ ସାମୁଇ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଗାନ ସହ ଏହି ଭବ୍ୟ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା। ଏହି ଅବସରରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0