।। ଶ୍ରଦ୍ଧା ସ୍ଵୟଂ ସହାୟିକା ଗୋଷ୍ଠୀ ସହାୟତାରେ ଟିକରପଡ଼ାରେ ସ୍ବଚ୍ଛତା ଅଭିଯାନ ।।

Sep 26, 2024 - 20:05
 0  7
।। ଶ୍ରଦ୍ଧା ସ୍ଵୟଂ ସହାୟିକା ଗୋଷ୍ଠୀ ସହାୟତାରେ ଟିକରପଡ଼ାରେ ସ୍ବଚ୍ଛତା ଅଭିଯାନ ।।

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଟିକରପଡ଼ା ଅଞ୍ଚଳର ଅସ୍ୱାସ୍ଥ୍ୟକର ପରିବେଶକୁ ସୁଧାରି ଏକ ସ୍ଵଚ୍ଛ ପରିବେଶ ସୃଷ୍ଟି ପାଇଁ ଟିକରପଡ଼ା ଯୁବ ଗୋଷ୍ଠୀ ଯୁବନେତା ଟୁନା କରକରିଆଙ୍କ ନେତୃତ୍ବରେ ବସ୍ତି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ଏହି ଯୁବ ଗୋଷ୍ଠୀଙ୍କୁ ସମ୍ପୂର୍ଣ୍ଣ ସହାୟତାର ହାତ ବଢ଼ାଇଥିଲେ ସ୍ଥାନୀୟ ଶ୍ରଦ୍ଧା ସ୍ୱୟଂ ସହାୟିକା ମହିଳା ସଂଘ।ଆଜି ପ୍ରଭାତରୁ ଆରମ୍ଭ ହୋଇଥିଲା ଗ୍ରାମ ସଫେଇ ଅଭିଯାନ।ଯୁବକମାନେ ହାତରେ କୋଡି,କୋଦାଳ,ଝୁଡ଼ି ଧରି ସଫେଇ କାମ ଆରମ୍ଭ କରିଦେଉଥିବା ବେଳେ ମହିଳାମାନେ ଗ୍ରାମର ସମସ୍ତ ଆବର୍ଜନାକୁ ନେଇ ଗାତ କରି ପୋତି ଦେଉଥିବା ଦେଖିବାକୁ ମିଳିଥିଲା।ଗ୍ରାମର ସାହି ବସ୍ତି,ରାସ୍ତାଘାଟ,ସର୍ବ ସାଧାରଣ ସ୍ଥାନ ଆଜି ସମ୍ପୂର୍ଣ ନିର୍ମଳ କରିଦେଇଥିଲେ।ପରେ ସମସ୍ତେ ଘରଘର ବୁଲି ଆବର୍ଜନା ଯଥା ସ୍ଥାନରେ ପକାଇବାକୁ ସଚେତନ କରାଇଥିଲେ।ସୂଚନା ଥାଉକି ବିଗତ ଚାରିବର୍ଷ ପୂର୍ବେ ଏହି ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଏହି ସାହିରେ ଡେଙ୍ଗୁ ରୋଗ ହୋଇ ଅନେକ ଜୀବନ ଯାଇଥିଲା।ସାରା ରାଜ୍ୟରେ ଏଠାର ଡେଙ୍ଗୁ ରୋଗରେ ମୃତ୍ୟୁକୁ ନେଇ ଚହଳ ପଡିଯାଇଥିଲା।ଏସବୁ ବିଷୟକୁ ଚିନ୍ତାକରି ସ୍ଥାନୀୟ ବିଜେପି ଯୁବନେତା ଟୁନା କରକରିଆ ସାଥୀ ଗରିବ ଗରଡ଼ିଆ,ଆଲିବାନ ବାଗ,ଆର୍ଦ କରକରିଆ, ବୃନ୍ଦାବନ ଗରଡିଆ,ଶ୍ରୀଧର କୁଶୁଲିଆ,ସୁଜନ ସୁନା,ସୁରେନ୍ ଗରଡିଆ,ରଞ୍ଜନ ନାଗ ପ୍ରମୁଖ ଅନେକ ଯୁବକଙ୍କୁ ଏକଜୁଟ କରି ସେମାନଙ୍କୁ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ନିଜ ସାହିବସ୍ତି ସଫେଇ ପାଇଁ ଆଗ୍ରହ ସୃଷ୍ଟି କରିଥିଲେ।ପରେ ଯୁବକମାନେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ କରକରିଆ,ଆଶା ଦିଦି ଡାଳିମ୍ବ କରକରିଆଙ୍କ ସହାୟତାରେ ଶ୍ରଦ୍ଧା ସ୍ୱୟଂ ସହାୟିକା ମହିଳା ସଂଘ ସହିତ ଯୋଗାଯୋଗ କରି ଆଜି ଏହି ସ୍ବଚ୍ଛତା ଅଭିଯାନ ଆରମ୍ଭ କରି ନିଜ ଅଞ୍ଚଳରେ ଅନେକ ପ୍ରଶଂସା ସାଉଁଟିଥିବା ଦେଖିବାକୁ ମିଳିଛି।ସେମାନଙ୍କ ନିଜ ଅଞ୍ଚଳ ପ୍ରତି ପ୍ରଗାଢ ମମତା ଆଉ ଏହି ସ୍ବଚ୍ଛତା ଅଭିଯାନ ଅନ୍ୟ ଗ୍ରାମର ଅଧିବାସୀ ମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ